ଚନ୍ଦ୍ରରେ ହେଲା ସକାଳ, ନିଦରୁ ଉଠିପାରନ୍ତି ବିକ୍ରମ, ପ୍ରଜ୍ଞାନ | News Room Odisha

ଚନ୍ଦ୍ରରେ ହେଲା ସକାଳ, ନିଦରୁ ଉଠିପାରନ୍ତି ବିକ୍ରମ, ପ୍ରଜ୍ଞାନ

ବେଙ୍ଗାଲୁରୁ: ୧୪ ଦିନ ଧରି ରାତି ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟ କିରଣ ପଡ଼ିବା ଆରମ୍ଭ କରିଛି। ଫଳରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ନିଦରୁ ଉଠି ପୁଣି ନିଜ କାର୍ଯ୍ୟ ଜାରି ରଖିବେ ବୋଲି ଆଶା କରାଯାଉଛି। ଆଜି ସମ୍ପୂର୍ଣ୍ଣ ସୂର୍ଯ୍ୟକିରଣ ପଡ଼ିବା ଆଶାରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବିକ୍ରମ ଓ ପ୍ରଜ୍ଞାନ ସହ ଯୋଗାଯୋଗ କରି ଉଭୟକୁ ଉଠାଇବାକୁ ଚେଷ୍ଟା କରିବ । ବର୍ତ୍ତମାନ ଉଭୟ ସ୍ଲିପ୍ ମୋଡରେ ରହିଛନ୍ତି।

ଇସ୍ରୋ ମୁତାବକ, ଲ୍ୟାଣ୍ଡର୍ ଓ ରୋଭର୍‌ର ସୋଲାର ପ୍ୟାନେଲ ଉପରେ ସୂର୍ଯ୍ୟ କିରଣ ପଡ଼ିବା କ୍ଷଣି ଏହା ପୁଣି ସକ୍ରିୟ ହେବ ଓ ଆଗ ଭଳି ଆଗକୁ ଗଡ଼ି ନୂଆ ତଥ୍ୟ ସଂଗ୍ରହ କରିବ । ଲ୍ୟାଣ୍ଡର୍ ମଧ୍ୟ ସକ୍ରିୟ ହୋଇ ରୋଭର୍ ଓ ଚନ୍ଦ୍ର ବାବଦରେ ନୂଆ ତଥ୍ୟ ସାଉଁଟିବ ଆରମ୍ଭ କରିପାରେ । ଇସ୍ରୋ ପ୍ରଥମେ ସେପ୍ଟେମ୍ବର ୨ରେ ରୋଭର୍ ପ୍ରଜ୍ଞାନକୁ ଏବଂ ସେପ୍ଟେମ୍ବର ୪ରେ ଲ୍ୟାଣ୍ଡର୍ ବିକ୍ରମକୁ ସ୍ଲିପ୍ ମୋଡ୍‌ରେ ରଖିଥିଲା। ୧୪ ଦିନ ଧରି ରାତିକୁ ଦୃଷ୍ଟିରେ ରଖି ଇସ୍ରୋ ଏଭଳି ପଦକ୍ଷେପ ନେଇଥିଲା।

ଅଗଷ୍ଟ ୨୩ରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ବିଶ୍ବର ପ୍ରଥମ ଦେଶ ହୋଇଥିଲା ।