ଗୁଜରାଟ ନିର୍ବାଚନ: ଇସୁଦାନ ଗଡଭୀ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ | News Room Odisha

ଗୁଜରାଟ ନିର୍ବାଚନ: ଇସୁଦାନ ଗଡଭୀ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସୁଦାନ ଗଡଭୀଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ଅହମ୍ମଦାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ପ୍ରାୟ ୧୬.୫ ଲକ୍ଷ ଲୋକଙ୍କ ଠାରୁ ମତାମତ ଆଧାରରେ ଆପ୍ ଇସୁଦାନଙ୍କୁ ମନୋନୀତ କରିଛି | ପ୍ରାୟ ୭୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଇସୁଦାନ ଗଡଭୀ ସେମାନଙ୍କ ପ୍ରଥମ ପସନ୍ଦ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ଆୟୋଗ ଗତକାଲି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଡିସେମ୍ବର ୧ ଓ ୫ ରେ ଅନୁଷ୍ଠିତ ହେବ। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ରେ ଗୁଜରାଟ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ।