ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ସମାଜବାଦୀ ପାର୍ଟି କହିଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ | News Room Odisha

ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ, ସମାଜବାଦୀ ପାର୍ଟି କହିଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପାଖେଇ ଆସୁଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଆଜି ଆୟକର ବିଭାଗ ଚଢାଉ କରିଛି । ସମାଜବାଦୀ ପାର୍ଟି ନେତା ମନୋଜ ଯାଦବ ଏବଂ ଜୟନେନ୍ଦ୍ର ଯାଦବ ଓ ଏସପି ମୁଖପାତ୍ର ରାଜୀବ ରାୟଙ୍କ ଘରେ ଆୟକର ବିଭାଗର ରେଡ୍ ଚାଲିଛି । ଲକ୍ଷ୍ନୌ ଏବଂ ରାଜ୍ୟର ଅନ୍ୟ କେତେକ ସହରରେ ଏହି ଚଢ଼ାଉ ଚାଲିଛି। ଏନେଇ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏସପି ମୁଖପାତ୍ର ରାଜୀବ ରାୟ ଅଭିଯୋଗ କରିଛନ୍ତି।

ମେନପୁରୀର ବାସିନ୍ଦା ମନୋଜ ଯାଦବ ଅଖିଳେଶ ଯାଦବଙ୍କ ପାଖଲୋକ ଭାବେ ପରିଚିତ | ସେ ଅରସିଏଲ୍ ଗ୍ରୁପ୍ ର ମାଲିକ ଅଟନ୍ତି | ଆୟକର ଅଧିକାରୀମାନେ କୋଟୱାଲୀ ସହର ଅନ୍ତର୍ଗତ ମୋହାଲା ବଂଶିଗୋହାରାର ମନୋଜ ଯାଦବଙ୍କ ଘରେ ମଧ୍ୟ ଚଢ଼ାଉ କରିଛନ୍ତି। ସୁରକ୍ଷା ବାହିନୀଙ୍କ ଉପସ୍ଥିତିରେ ଏହି ଚଢାଉ ଚାଲିଛି । ଘର ଭିତରକୁ ବାହାର ଲୋକ ଓ ଗଣମାଧ୍ୟମକୁ ଅନୁମତି ଦିଆଯାଉନାହିଁ | ଆୟକର ବିଭାଗର ଅଧିକାରୀମାନେ ୨ ଘଣ୍ଟାରୁ ଅଧିକ ସମୟ ଧରି ଘର ଲୋକଙ୍କୁ ପଚରାଉଚରା କରୁଛନ୍ତି।

ଏଥିସହିତ ଲକ୍ଷ୍ନୌର ଅଖିଳେଶ ଯାଦବଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଜୈନେନ୍ଦ୍ର ଯାଦବ ଓରଫ୍ ନୀଟୁଙ୍କ ସମେତ ଅନେକଙ୍କ ଘରେ ତଦନ୍ତ ଚାଲିଛି। ଟିକସ ଫାଙ୍କିବା ମାମଲାରେ ଆୟକର ବିଭାଗ ଦଳ ସେମାନଙ୍କ ଘରେ ଚଢାଉ କରିଥିବା କୁହାଯାଉଛି । ଆୟକର ବିଭାଗ ଏସପି ମୁଖପାତ୍ର ରାଜୀବ ରାୟଙ୍କ ଘରେ ମଧ୍ୟ ଚଢାଉ କରିଛି।