ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଟେଷ୍ଟ ଦଳରୁ ପୂଜାରାଙ୍କ ଛୁଟି, ଜୈସୱାଲଙ୍କୁ ଡାକରା | News Room Odisha

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଟେଷ୍ଟ ଦଳରୁ ପୂଜାରାଙ୍କ ଛୁଟି, ଜୈସୱାଲଙ୍କୁ ଡାକରା

ନୂଆଦିଲ୍ଲୀ: ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଭାରତୀୟ ଦଳ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳିବ | ରୋହିତ ଶର୍ମା ଟେଷ୍ଟ ଏବଂ ଦିନିକିଆ ଦଳର ନେତୃତ୍ଵ ନେବେ । ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ଦଳର ଉପ ଅଧିନାୟକ ।

ଟେଷ୍ଟ ଦଳରେ ପ୍ରଥମ ପସନ୍ଦର ୱିକେଟ୍ କିପର ଭାବେ କେ.ଏସ୍ ଭରତ ସ୍ଥାନ ବଜାୟ ରଖିଛନ୍ତି । ଇଶାନ୍ କିଶାନଙ୍କୁ ଦଳରେ ଦ୍ୱିତୀୟ ୱିକେଟ୍ କିପର ଭାବେ ରଖାଯାଇଛି। ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆ ଯାଇଥିବାବେଳେ ଉଦୀୟମାନ ବ୍ୟାଟର ଯଶସ୍ୱୀ ଜୈସୱାଲଙ୍କୁ ପ୍ରଥମ ଥର ଦଳରେ ସୁଯୋଗ ଦିଆଯାଇଛି। ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ଦଳରୁ ବାଦ୍ ପଡିଛନ୍ତି । ଭେଟେରାନ୍ ପେସର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଯୁବ ଦ୍ରୁତ ବୋଲର ମୁକେଶ କୁମାର ପ୍ରଥମ ଥର ଟେଷ୍ଟ ଦଳକୁ ଡ଼ାକରା ପାଇଛନ୍ତି । ନବଦୀପ ସାଇନିଙ୍କ ମଧ୍ୟ ପ୍ରତ୍ୟାବର୍ତ୍ତନ ହୋଇଛି । ଏହାଛଡ଼ା ଜୟଦେବ ଉନାଦକଟ ମଧ୍ୟ ଟେଷ୍ଟ ଦଳରେ ସ୍ଥାନ ବଜାୟ ରଖିଛନ୍ତି।

ଏହି ଗସ୍ତ ପାଇଁ ଉଭୟ ଟେଷ୍ଟ ଓ ଦିନିକିଆ ଦଳରେ ଋତୁରାଜ ଗାଏକୱାଡଙ୍କୁ ସାମିଲ କରାଯାଇଛି । ରୋହିତ ଦିନିକିଆ ଦଳର ମଧ୍ୟ ନେତୃତ୍ବ ନେବେ। ସଞ୍ଜୁ ସାମସନ ଦଳକୁ ଫେରିଛନ୍ତି। ସଞ୍ଜୁଙ୍କୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଦିନିକିଆ ଦଳରେ ସୁଯୋଗ ଦିଆଯାଇଥିବାବେଳେ ଇଶାନ କିଶନଙ୍କୁ ଦ୍ବିତୀୟ ବିକଳ୍ପ ଭାବେ ସାମିଲ କରାଯାଇଛି ।

ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେ.ଏସ୍ ଭରତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକଟ, ନବଦୀପ ସାଇନି।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଋତୁରାଜ ଗାଏକୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ) ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜୟଦେବ ଉନାଦକଟ୍, ମହମ୍ମଦ ସିରାଜ, ଉମ୍ରାନ ମଲିକ, ମୁକେଶ କୁମାର।