'ଆଲ୍ଲା ହୁ ଆକବର' କହି ହିନ୍ଦୁ ଛାତ୍ରଙ୍କୁ ବିରୋଧ କରିଥିବା ଛାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ଜମିୟତ୍ ଉଲେମା-ଏ-ହିନ୍ଦ୍ | News Room Odisha

‘ଆଲ୍ଲା ହୁ ଆକବର’ କହି ହିନ୍ଦୁ ଛାତ୍ରଙ୍କୁ ବିରୋଧ କରିଥିବା ଛାତ୍ରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ଜମିୟତ୍ ଉଲେମା-ଏ-ହିନ୍ଦ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ବିବାଦ ଏବେ ରାଜନୈତିକ ରଙ୍ଗ ନେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବା କିଛି ପୁଅ ପିଲାଙ୍କ ଆଗରେ ‘ଆଲ୍ଲା ହୁ ଆକବର’ ନାରା ଦେଉଥିବା ଜଣେ ଝିଅ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଏବେ ଏହି ଛାତ୍ରୀ ଜଣଙ୍କ ପାଇଁ ମୁସଲିମ ଧାର୍ମିକ ସଂଗଠନ ଜମିୟତ୍ ଉଲେମା-ଏ-ହିନ୍ଦର ସଭାପତି ହଜରତ ମୌଲନା ମହମୁଦ ଆସାଦ ମଦାନୀ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

ତାଙ୍କ ସମର୍ଥନରେ ଏକ ପୋଷ୍ଟର ଜାରି କରାଯାଇଛି । ଏଥିରେ ଲେଖାଯାଇଛି ଯେ ସାମ୍ବିଧାନିକ ତଥା ଧାର୍ମିକ ଅଧିକାର ପାଇଁ ବିରୋଧର ଝଡ଼ ଆଗରେ ସାହସର ସହ ସଂଗ୍ରାମ କରିଥିବା ପିଇଏସ୍ କଲେଜ ମାଣ୍ଡିଆର ସାହସୀ ଛାତ୍ର ବିବି ମୁସ୍କାନ ଖାନଙ୍କୁ ଜମିୟତ୍ ଉଲେମା-ଏ-ହିନ୍ଦର ଅଧ୍ୟକ୍ଷ ହଜରତ ମୌଲନା ମହମୁଦ ଆସାଦ ମଦାନୀଙ୍କ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା | ଏହି ସାହସୀ ଝିଅକୁ ଉତ୍ସାହିତ କରିବା ପାଇଁ ଜମିୟତ୍ ଉଲେମା-ଏ-ହିନ୍ଦ୍ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ମାଣ୍ଡିଆରେ କିଛି ପୁଅ ହିଜାବ ପିନ୍ଧିଥିବା ଜଣେ ଝିଅ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି। ତେବେ ସୋସିଆଲ ମିଡିଆରେ ଏହି ଝିଅ ସପକ୍ଷରେ ସମର୍ଥନ ବଢ଼ିଚାଲିଛି | ହିଜାବ୍ ପିନ୍ଧିବାର ଅଧିକାର ଦାବି କରି ନିଜର ପ୍ରତିବାଦ ଜାରି ରଖିବାକୁ ଜିଦ୍ ଧରିଥିବା ଝିଅଟି କହିଛି ଯେ ତାଙ୍କୁ ସବୁ ଶିକ୍ଷକଙ୍କ ସମର୍ଥନ ରହିଛି ଏବଂ ତାଙ୍କୁ ଗେରୁଆ ଗାମୁଛା ଗୁଡ଼ାଇ ଅଟକାଇଥିବା ପୁଅମାନେ ବାହାର ଲୋକ। ମଙ୍ଗଳବାର ଉଡୁପି ଜିଲ୍ଲାର ମଣିପାଲର ମହାତ୍ମା ଗାନ୍ଧୀ ମେମୋରିଆଲ କଲେଜରେ ବେକରେ ଗେରୁଆ ଗାମୁଛା ଗୁଡ଼ାଇ ଥିବା କିଛି ଛାତ୍ରଛାତ୍ରୀ ଏବଂ ହିଜାବ୍ ପିନ୍ଧିଥିବା ଛାତ୍ରୀମାନେ ପରସ୍ପର ବିରୋଧରେ ସ୍ଲୋଗାନ ଦେଇଥିଲେ। ଏହାପରେ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରାଜ୍ୟରେ ସବୁ ସ୍କୁଲ୍, କଲେଜ୍ ତିନି ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।