'ତୁମର ଖରାପ ଦିନ ଆସିବ', ବିଜେପିକୁ ଅଭିଶାପ ଦେଲେ ଜୟା ବଚ୍ଚନ | News Room Odisha

‘ତୁମର ଖରାପ ଦିନ ଆସିବ’, ବିଜେପିକୁ ଅଭିଶାପ ଦେଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ପାନାମା ପେପର ମାମଲାରେ ଗୋଟିଏ ପଟେ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ପଚରାଉଚୁରା କରୁଥିବା ବେଳେ ଅନ୍ୟପଟେ ସଂସଦରେ ଆଜି ଶାଶୁ ଜୟା ବଚ୍ଚନଙ୍କ ଉଗ୍ର ରୂପ ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି (ଏସପି)ର ରାଜ୍ୟସଭା ସାଂସଦ ଥିବା ଜୟା ବଚ୍ଚନ ନାର୍କୋଟିକ୍ସ ବିଲ୍ ଉପରେ ଆଲୋଚନା ବେଳେ ବିଜେପି ଉପରେ ପ୍ରବଳ ବର୍ଷିଥିଲେ। ଜୟା ବିଜେପିକୁ ଅଭିଶାପ ଦେଇ କହିଥିଲେ ଯେ ତୁମର ଖରାପ ଦିନ ଶୀଘ୍ର ଆସିବ |

ନାର୍କୋଟିକ୍ସ ଡ୍ରଗ୍ସ ବିଲ୍ ଉପରେ ଆଲୋଚନା ବେଳେ ଶାସକ ଦଳର ଜଣେ ସଦସ୍ୟଙ୍କ ମନ୍ତବ୍ୟକୁ ନେଇ ଜୟା ରାଗି ଯାଇଥିଲେ। ତାଙ୍କ ପ୍ରତି ବ୍ୟକ୍ତିଗତ ଆକ୍ଷେପ କରାଯାଇଛି ବୋଲି ଜୟା ଅଭିଯୋଗ କରି ସେ କହିଥିଲେ, “ମୁଁ କାହା ଉପରେ କୌଣସି ବ୍ୟକ୍ତିଗତ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସେମାନେ ଏପରି କହିବା ଉଚିତ୍ ନଥିଲା। ଏହି ସମୟରେ ସେ ଗୃହର ଅଧ୍ୟକ୍ଷଙ୍କ ଉପରେ ମଧ୍ୟ ଆରୋପ ଲଗାଇ ବିରୋଧୀଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଥିଲେ। ଅଧ୍ୟକ୍ଷଙ୍କୁ ଜୟା କହିଥିଲେ, ‘ଆପଣ ନିରପେକ୍ଷ ହେବା ଉଚିତ ଏବଂ କୌଣସି ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବା ଉଚିତ ନୁହେଁ। ସେତେବେଳେ ଗୃହର ଅଧ୍ୟକ୍ଷ ଭାବେ ଭୁବନେଶ୍ୱର କଲିଟା ଦାୟିତ୍ବ ତୁଲାଉଥିଲେ ।

ଜୟା କହିଥିଲେ ‘ଆମେ ଆପଣଙ୍କ ଠାରୁ କ’ଣ ଆଉ ଆଶା କରିପାରିବୁ? କଣ ଚାଲିଛି? ଅନେକ ପ୍ରସଙ୍ଗ ଅଛି ଯାହା ବିଷୟରେ ଆମେ ଏକ ବିଲ୍ ଉପରେ ଆଲୋଚନା କରୁଛୁ ଯାହା ଭୁଲ୍ ସଂଶୋଧନ ପାଇଁ ସରକାର ଆଣିଛନ୍ତି … ଆପଣ ଆମ ସମସ୍ତଙ୍କୁ ତଣ୍ଟି ଚିପି ମାରିଦିଅନ୍ତୁ ‘

ବିଜେପି ସାଂସଦ ରାକେଶ ସିହ୍ନା ବ୍ୟବସ୍ଥାର ପ୍ରସଙ୍ଗ ଉଠାଇବା ସହ ଜୟା ‘ଅଧ୍ୟକ୍ଷଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ଅଭିଯୋଗ କରିବା ମାତ୍ରେ ବିବାଦ ଆରମ୍ଭ ହୋଇଥିଲା। ଶାସକ ଦଳର ବେଞ୍ଚକୁ ଟାର୍ଗେଟ କରି ଜୟା କହିଥିଲେ, ‘ଆପଣ ମାନଙ୍କ ଖରାପ ଦିନ ଆସିବ, ମୁଁ ଅଭିଶାପ ଦେଉଛି। ଏହା ପରେ ଜୟା ବେଞ୍ଚରେ ବସିଥିବା ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଏବଂ ଏହି ସଦସ୍ୟଙ୍କୁ ତାଙ୍କ ବିରୋଧରେ (ଜୟା) ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ। ତେବେ ଯଦି ଟିପ୍ପଣୀ ଉପଯୁକ୍ତ ନୁହେଁ ତେବେ ଏହାକୁ ରେକର୍ଡରୁ ବାଦ ଦିଆଯାଇଛି ବୋଲି ଚେୟାରମ୍ୟାନ୍ ଘୋଷଣା କରିଥିଲେ। ଏହି କାରଣରୁ ଉତ୍ତେଜନା ବଢ଼ିଥିଲା । ଯେଉଁଥିପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷ କାଲିଟା ଗୃହକୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ |

ଉଲ୍ଲେଖଯୋଗ୍ୟ ଯେ ଜୟା ବଚ୍ଚନଙ୍କ ବୋହୂ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୋମବାର ପାନାମା ପେପର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଥିଲେ। ଟିକସ ଫାଙ୍କିବା ଅଭିଯୋଗରେ ପ୍ରାୟ ୫ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ଐଶ୍ୱର୍ଯ୍ୟା ସନ୍ଧ୍ୟା ପ୍ରାୟ ୭:୩୦ ସମୟରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ।