ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଟ୍ୟାଗ୍ ଲାଇନ୍ 'ଜିତେଗା ଭାରତ' | News Room Odisha

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଟ୍ୟାଗ୍ ଲାଇନ୍ ‘ଜିତେଗା ଭାରତ’

ନୂଆଦିଲ୍ଲୀ: ନିଜ ମେଣ୍ଟକୁ ‘ଇଣ୍ଡିଆ’ ବୋଲି ନାମକରଣ କରିବାର ଦିନକ ପରେ ବିରୋଧୀ ଏବେ ସେମାନଙ୍କ ଏହି ନୂଆ ମେଣ୍ଟର ଟ୍ୟାଗ୍ ଲାଇନ୍ ମଧ୍ୟ ଚୂଡ଼ାନ୍ତ କରିଛନ୍ତି । ଏହାର ଟ୍ୟାଗ୍ ଲାଇନ୍ ରଖାଯାଇଛି ‘ଜିତେଗା ଭାରତ’ । ଏହି ଟ୍ୟାଗ୍ ଲାଇନକୁ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ବ୍ୟବହାର କରାଯିବ ।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ବିଚାର ବିମର୍ଶ ପରେ ଏହି ଟ୍ୟାଗ୍ ଲାଇନ୍ ଚୂଡ଼ାନ୍ତ ହୋଇଥିଲା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଶିବସେନା ମୁଖ୍ୟ (ଉଦ୍ଧବ ବାଲାସାହେବ ଠାକରେ) ବିରୋଧୀ ମେଣ୍ଟର ହିନ୍ଦୀ ଟ୍ୟାଗ୍ ଲାଇନ୍ ରହିବା ଉଚିତ ବୋଲି ମତ ଦେଇଥିଲେ । ତେଣୁ ଏହି ପ୍ରସ୍ତାବ ଆଧାରରେ ବିରୋଧୀ ମେଣ୍ଟର ଟ୍ୟାଗ୍ ଲାଇନ୍ ‘ଜିତେଗା ଭାରତ’ ରଖାଯାଇଛି |

ବିରୋଧୀ ନିଜ ନୂଆ ମେଣ୍ଟକୁ ‘ଇ-ଣ୍ଡି-ଆ’ ଅର୍ଥାତ୍ ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଇନ୍ସ ନାମରେ ନାମିତ କରିଛନ୍ତି। ବେଙ୍ଗାଲୁରୁରେ ଦୁଇ ଦିନ ଧରି ଚାଲିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାପରେ ଅନେକ ବିରୋଧୀ ନେତା ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ ବେଙ୍ଗାଲୁରୁରେ ହେବାକୁ ଥିବା ଏହି ବୈଠକର ଉଦ୍ଦେଶ୍ୟ ହେଉଛି ଦେଶ, ଗଣତନ୍ତ୍ର ଏବଂ ସମ୍ବିଧାନକୁ ରକ୍ଷା କରିବା।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ୨୦୨୪ର ଲଢ଼େଇ ‘ଏନଡିଏ’ ବନାମ ‘ଇଣ୍ଡିଆ’ ହେବ । ଯେଭଳି ସବୁ ଲଢେ଼ଇରେ ‘ଇଣ୍ଡିଆ’ର ବିଜୟ ହୁଏ ଏଥର ମଧ୍ୟ ଇଣ୍ଡିଆ ଜିତିବା ଥୟ ।