'ଇଡି ସମନ୍ କାହିଁକି ପଠାଉଛ, ସିଧା ଗିରଫ କରି ଦେଖାଅ', ବିଜେପିକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ | News Room Odisha

‘ଇଡି ସମନ୍ କାହିଁକି ପଠାଉଛ, ସିଧା ଗିରଫ କରି ଦେଖାଅ’, ବିଜେପିକୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ

ରାଞ୍ଚି: ବେଆଇନ ଖଣି ମାମଲାରେ ସମନ ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଇଡିରେ ହାଜର ହୋଇନାହାଁନ୍ତି । ସେ ଓଲଟି ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଉପରେ ଆକ୍ରମଣ କରିଛନ୍ତି ଏବଂ ତାଙ୍କୁ ଗିରଫ କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ଯଦି ମୁଁ କିଛି ଅପରାଧ କରିଛି ତେବେ ନୋଟିସ୍ କାହିଁକି ପଠାଉଛ ମୋତେ ସିଧା ଗିରଫ କର ବୋଲି କହିଛନ୍ତି ସୋରେନ । ସୋରେନ କହିଛନ୍ତି, ‘ଆଜି ଛତିଶଗଡରେ ମୋର ଏକ କାର୍ଯ୍ୟକ୍ରମ ଥିବାବେଳେ ମୋତେ ଇଡି ସମନ୍ କରିଛି। ଯଦି ମୁଁ କିଛି ଅପରାଧ କରିଛି, ତେବେ ଆସ ମୋତେ ଗିରଫ କର | ଏଥିପାଇଁ ତଦନ୍ତର ଆବଶ୍ୟକତା କ’ଣ? ଇଡି କାର୍ଯ୍ୟାଳୟ ବାହାରେ ସୁରକ୍ଷା କାହିଁକି ବଢାଇ ଦିଆଯାଇଛି? ଆପଣ ଝାଡ଼ଖଣ୍ଡୀ ମାନଙ୍କୁ କାହିଁକି ଡରୁଛନ୍ତି? ‘

ଉଲ୍ଲେଖଯୋଗ୍ୟ, ବେଆଇନ ଖଣି ଖନନ ମାମଲାରେ ସୋରେନଙ୍କୁ ଇଡି ଗତକାଲି ସମନ ଜାରି କରିଥିଲା ‌‌। ପଚରାଉଚରା ପାଇଁ ତାଙ୍କୁ ଆଜି ରାଞ୍ଚି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିବା ।

ତାଙ୍କୁ ଇଡି ସମନ ନେଇ ସୋରେନ ଟ୍ୱିଟ୍ କରି କହିଥିଲେ, ବିରୋଧୀଙ୍କ ଉଦ୍ଦେଶ୍ୟ ହେଉଛି ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ କରି ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ କିପରି ହଇରାଣ କରିବା । ମୋତେ ହଇରାଣ କରିବାକୁ ଚେଷ୍ଟା କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦଳିତ, ଆଦିବାସୀ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା । ଯେପର୍ଯ୍ୟନ୍ତ ରାଜ୍ୟର କୋଟି କୋଟି ଲୋକଙ୍କ ସମର୍ଥନ ରହିଥିବ, ଏମାନଙ୍କ କୌଣସି ଷଡ଼ଯନ୍ତ୍ର କାମ କରିବନି ।