କାବୁଲ ଆତ୍ମଘାତୀ ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ସହ ୭୨ ମୃତ, ନିଜକୁ ଦାୟୀ କଲା ଆଇଏସ୍ | News Room Odisha

କାବୁଲ ଆତ୍ମଘାତୀ ବିସ୍ଫୋରଣରେ ଆମେରିକୀୟ ସୈନିକଙ୍କ ସହ ୭୨ ମୃତ, ନିଜକୁ ଦାୟୀ କଲା ଆଇଏସ୍

କାବୁଲ: ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ଗୁରୁବାର ସନ୍ଧ୍ୟାରେ ହୋଇଥିବା ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଏବଂ ବନ୍ଧୁକଧାରୀଙ୍କ ଉପରେ ଭିଡ଼ ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣ ଆମେରିକୀୟ ସୈନିକଙ୍କ ସମେତ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬୦ରୁ ଅଧିକ ସାଧାରଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ଅଛନ୍ତି । କାବୁଲ ପ୍ରଶାସନ ଅନୁଯାୟୀ ଏହି ଆକ୍ରମଣରେ ୧୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଇଏସଆଇଏସ ଖୋରାସାନ (ଆଇଏସ୍ଆଇଏସ୍-କେ) ନିଜକୁ ଦାୟୀ କରିଛି।

କାବୁଲ ବିସ୍ଫୋରଣ ଉପରେ ଆମେରିକାର ରାଷ୍ଟ୍ରପତି ଜୋ‌ ବାଇଡେନ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। ସତର୍କତା ଅବଲମ୍ବନ କରି ବର୍ତ୍ତମାନ କାବୁଲ ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଜୋ ବାଇଡେନ୍ କହିଛନ୍ତି ଯେ ଏହି ଆକ୍ରମଣର ଦୋଷୀ ତଥା ଆମେରିକାର କ୍ଷତି କରିବାକୁ ଚାହୁଁଥିବା ବ୍ୟକ୍ତି ଜାଣନ୍ତି ଯେ ଆମେ ସେମାନଙ୍କୁ କ୍ଷମା କରିବୁ ନାହିଁ। ଆମେ ତୁମକୁ ଭୁଲି ପାରିବୁ ନାହିଁ | ଆମେ ତୁମକୁ ନିପାତ କରିବୁ, ତୁମକୁ ବହୁମୂଲ୍ୟ ଦେବାକୁ ପଡିବ | ଆମେ ନିଜ ତଥା ଆମ ଲୋକଙ୍କ ସ୍ୱାର୍ଥ ରକ୍ଷା କରିବା ଜାରି ରଖିବୁ ।

ଆଇଏସ୍ ଖୋରାସାନର ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ ଆମେରିକୀୟ ସୈନିକଙ୍କୁ ଟାର୍ଗେଟ କରିଥିଲେ। ଆମେରିକା କାବୁଲରେ ଏକ ବିଶାଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବିମାନ ବନ୍ଦର ବାହାରେ ହଜାର ହଜାର ଲୋକ ଜମା ହୋଇଥିବା ବେଳେ ଏହାର ସୁଯୋଗ ନେଇ ଆଇଏସ୍ ଖୋରାସାନର ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ତାଲିବାନର ଜଣେ ମୁଖପାତ୍ର ମଧ୍ୟ ଏହି ବିସ୍ଫୋରଣରେ ଆଇଏସ୍ ଖୋରାସାନର ହାତ ଥିବା କହିଛନ୍ତି। ଆଇଏସ୍ ଖୋରାସାନ ହେଉଛି ଏହି ଆତଙ୍କୀ ସଂଗଠନର ଆଫଗାନିସ୍ତାନ ଶାଖା । ଖୋରାସନ୍ ଆଫଗାନିସ୍ତାନର ପ୍ରାଚୀନ ନାଁ ବୋଲି କୁହାଯାଏ।