ବକ୍ସ ଅଫିସରେ 'କାନ୍ତାରା'ର ଗର୍ଜନ, ଦ୍ବିତୀୟ ଦିନରେ କଲା ଜବରଦସ୍ତ କଲେକ୍ସନ | News Room Odisha

ବକ୍ସ ଅଫିସରେ ‘କାନ୍ତାରା’ର ଗର୍ଜନ, ଦ୍ବିତୀୟ ଦିନରେ କଲା ଜବରଦସ୍ତ କଲେକ୍ସନ

ନୂଆଦିଲ୍ଲୀ: ବକ୍ସ ଅଫିସରେ ଚହଳ ପକେଇଛି କନ୍ନଡ଼ ଫିଲ୍ମ ‘କାନ୍ତାରା’ | ନିକଟରେ ମୁକ୍ତିଲାଭ କରିଥିବା ଏହାର ହିନ୍ଦୀ ଭର୍ସନ ମଧ୍ୟ ଜବରଦସ୍ତ ବ୍ୟବସାୟ କରୁଛି | ଏହି ଶୁକ୍ରବାର ‘କାନ୍ତାରା’ର ହିନ୍ଦୀ ଏବଂ ତେଲୁଗୁ ଭର୍ସନ ରିଲିଜ୍ ହୋଇଥିଲା । କନ୍ନଡ ବ୍ୟତୀତ ଏହି ଫିଲ୍ମ ହିନ୍ଦୀ ବେଲ୍ଟରେ ମଧ୍ୟ ଛାପ ଛାଡ଼ିବାରେ ସଫଳ ହୋଇଛି । ରିଲିଜ୍ ଦିନ ଭଲ ଆୟ କରିବା ପରେ ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ‘କାନ୍ତାରା’ର କଲେକ୍ସନରେ ୧୦୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି ​​| ‘କାନ୍ତାରା’ (ହିନ୍ଦୀ ଭର୍ସନ) ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ୧.୨୭ କୋଟି ଆୟ କରିଥିଲା, ଯାହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ପାଇଁ ଭଲ ଓପନିଂ ବୋଲି କୁହାଯିବ ।

ଦ୍ୱିତୀୟ ଦିନରେ ଫିଲ୍ମର ଆୟ ଆହୁରି ବଢ଼ିଛି | ଏହି ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୨.୫୦ ରୁ ୨.୭୫ କୋଟି ବ୍ୟବସାୟ କରିଛି ​​| ରିଲିଜର ଦୁଇ ଦିନ ମଧ୍ୟରେ ଏହି ଫିଲ୍ମ ପ୍ରାୟ ୩.୨୫ ରୁ ୩.୫୦ କୋଟି କଲେକ୍ସନ କରିଛି | ବକ୍ସ ଅଫିସରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡକ୍ଟର ଜି’ ଠାରୁ ‘କାନ୍ତାରା’କୁ ଟକ୍କର ମିଳୁଥିଲେ ମଧ୍ୟ ଏହି ଫିଲ୍ମ ହଲକୁ ବହୁ ସଂଖ୍ୟାରେ ଦର୍ଶକ ଆଣିବାରେ ସଫଳ ହୋଇଛି | ‘କାନ୍ତାରା’ ରେ ମୁଖ୍ୟ ଭୂମିକାରେ ରିଷଭ ଶେଟ୍ଟୀ ଅଛନ୍ତି, ଯିଏ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ବି ତୁଲାଇଛନ୍ତି । ଏହି ଫିଲ୍ମରେ ମଣିଷ ଏବଂ ପ୍ରକୃତି ମଧ୍ୟରେ ସଂଘର୍ଷ ପ୍ରଦର୍ଶିତ ହୋଇଛି | ଏହି ଚଳଚ୍ଚିତ୍ରର କାହାଣୀ କର୍ଣ୍ଣାଟକର ଲୋକକଥା ଉପରେ ଆଧାରିତ |