ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ କପିଳ ସିବଲ ଘୋଷଣା କଲେ ନୂଆ ମଞ୍ଚ 'ଇନସାଫ୍', ଅଣବିଜେପି ନେତାଙ୍କ ସହଯୋଗ ଲୋଡ଼ିଲେ | News Room Odisha

ଅନ୍ୟାୟ ବିରୋଧରେ ଲଢ଼େଇ ପାଇଁ କପିଳ ସିବଲ ଘୋଷଣା କଲେ ନୂଆ ମଞ୍ଚ ‘ଇନସାଫ୍’, ଅଣବିଜେପି ନେତାଙ୍କ ସହଯୋଗ ଲୋଡ଼ିଲେ

ନୂଆଦିଲ୍ଲୀ : ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଳ ସିବଲ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଅମଳରେ ହେଉଥିବା “ଅନ୍ୟାୟ” ବିରୋଧରେ ଲଢ଼ିବା ପାଇଁ ଏକ ନୂଆ ମଞ୍ଚ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଅଭିଯାନରେ ତାଙ୍କୁ ସହଯୋଗ କରିବାକୁ ସେ ଅଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଅପିଲ କରିଛନ୍ତି ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟାୟ ବିରୋଧରେ ଲଢ଼େଇରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସିବଲ ତାଙ୍କ ନୂଆ ମଞ୍ଚ ‘ଇନସାଫ୍’ ଏବଂ ୱେବସାଇଟ୍ ‘ଇନସାଫ୍ କା ସିପାହୀ’ ଲଞ୍ଚ୍ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଅଭିଯାନରେ ଓକିଲମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ମାର୍ଚ୍ଚ ୧୧ରେ ଜନ୍ତର ମନ୍ତରରେ ସେ ତାଙ୍କର ଏହି ପଦକ୍ଷେପ ସମ୍ପର୍କରେ ଏକ ବୈଠକ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ବିରୋଧୀଦଳର ନେତା ତଥା ସାଧାରଣ ଲୋକଙ୍କ ସମେତ ସମସ୍ତଙ୍କୁ ଖୋଲା ନିମନ୍ତ୍ରଣ ରହିଛି ବୋଲି ସିବଲ କହିଛନ୍ତି।

ତାଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ସେ ଅଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ନେତାମାନଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ଏହା ଏକ ଜାତୀୟ ସ୍ତରର ପ୍ଲାଟଫର୍ମ ହେବ, ଯେଉଁଥିରେ ଓକିଲମାନେ ଆଗରେ ରହିବେ | ଆରଏସ୍ଏସ୍ (ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନ) ଶାଖା ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ବିଚାରଧାରା ଲୋକଙ୍କ ଉପରେ ଲଦୁଛନ୍ତି ଯାହା ଅନ୍ୟାୟକୁ ଜନ୍ମ ଦେଉଛି । ଆମେ ସେହି ଅନ୍ୟାୟ ସହିତ ମଧ୍ୟ ଲଢ଼ିବୁ ।”

ଏହି ବରିଷ୍ଠ ଓକିଲ ଏହାକୁ ଏକ ଲୋକଙ୍କ ଫୋରମ୍ ବୋଲି କହିଛନ୍ତି । ସେ ଏକ ରାଜନୈତିକ ଦଳ ଆରମ୍ଭ କରୁଥିବା କଳ୍ପନା ଜଳ୍ପନା କୁ ସେ ଖଣ୍ଡନ କରିଛନ୍ତି।