ସରକାର ନ୍ୟାୟପାଳିକାରେ ନିଜ ଲୋକଙ୍କୁ ବସାଇବାକୁ ଚାହୁଁଛନ୍ତି : କପିଳ ସିବଲ | News Room Odisha

ସରକାର ନ୍ୟାୟପାଳିକାରେ ନିଜ ଲୋକଙ୍କୁ ବସାଇବାକୁ ଚାହୁଁଛନ୍ତି : କପିଳ ସିବଲ

ନୂଆଦିଲ୍ଲୀ: କଲେଜିୟମ ସିଷ୍ଟମକୁ ବାରମ୍ବାର ଟାର୍ଗେଟ ନେଇ ବିଶିଷ୍ଟ ଓକିଲ ତଥା ରାଜ୍ୟସଭା ସଦସ୍ୟ କପିଳ ସିବଲ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ସିବଲ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସମଗ୍ର ବ୍ୟବସ୍ଥାକୁ ଗୈରିକ ରଙ୍ଗରେ ରଙ୍ଗାୟିତ କରି ଦିଆଯାଇଛି। ସେମାନେ ଦେଶର ନ୍ୟାୟପାଳିକାର ରଙ୍ଗ ମଧ୍ୟ ଏମିତି ହେଉ ବୋଲି ଚାହାଁନ୍ତି । ସରକାର ନ୍ୟାୟପାଳିକାକୁ କବଜା କରିବାକୁ ଚାହୁଁଛନ୍ତି । ପୂର୍ବତନ ବିଚାରପତି ଅରବିନ୍ଦ ପି ଦତ୍ତାର ମଧ୍ୟ ସିବଲଙ୍କ ସହ ସହମତ ହୋଇଛନ୍ତି ।

ସିବଲ କହିଛନ୍ତି ଯେ ଆୟକର ହେଉ ଅବା ଇଡି କିମ୍ବା ସିବିଆଇ, ବିଶ୍ୱବିଦ୍ୟାଳୟ ହଉ ଅବା ଅନ୍ୟ କୌଣସି ସରକାରୀ ସଂସ୍ଥା ସବୁଠି ସରକାର ନିଜ ଲୋକ ରଖିଛନ୍ତି । ସରକାର ପୁରା ବ୍ୟବସ୍ଥାକୁ ଗୈରିକ ରଙ୍ଗରେ ରଙ୍ଗାୟିତ କରି ଦେଇଛନ୍ତି। ବର୍ତ୍ତମାନ ସେମାନେ ନିଜ ଇଚ୍ଛାନୁସାରେ ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି। ଏବେ ସେମାନେ ସୁପ୍ରିମକୋର୍ଟ ସହ ହାଇକୋର୍ଟରେ ବି ନିଜ ଲୋକଙ୍କୁ ବସାଇବାକୁ ଚାହୁଁଛନ୍ତି ।

ସିବଲ କହିଛନ୍ତି, କଲେଜିୟମ ସିଷ୍ଟମ ଫୁଲ୍ ପ୍ରୁଫ୍ ବୋଲି ସେ ଭାବୁ ନାହାଁନ୍ତି । ଏଥିରେ ଅନେକ ତ୍ରୁଟି ଅଛି | କିନ୍ତୁ ସରକାରଙ୍କ ହସ୍ତକ୍ଷେପ ଦ୍ବାରା ସମଗ୍ର ବ୍ୟବସ୍ଥା ଠପ୍ ହୋଇଯିବ । ସରକାରୀ ନିୟନ୍ତ୍ରଣ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ କଲେଜିୟମ ସିଷ୍ଟମ ଭଲ ।

ସାମ୍ବିଧାନିକ ବ୍ୟାପାର ବିଶେଷଜ୍ଞ ତଥା ବରିଷ୍ଠ ଆଇନଜୀବୀ ଅରବିନ୍ଦ ପି ଦତ୍ତାର ମଧ୍ୟ ସିବଲଙ୍କ ସହ ସ୍ବର ମିଳାଇଛନ୍ତି । ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥା ସର୍ବୋତ୍ତମ ବୋଲି ସେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବିଚାରପତିମାନେ ବିଚାରପତି ନିଯୁକ୍ତ କରନ୍ତି ବୋଲି କହିବା ଭୁଲ ନୁହେଁ। ସବୁ ନାମ କଲେଜିୟମ ମାଧ୍ୟମରେ ସରକାରଙ୍କ ନିକଟକୁ ଯାଇଥାଏ | ସରକାର ଯାହାଙ୍କୁ ପସନ୍ଦ ନ କରନ୍ତି ସେହି ନାମଗୁଡିକ ଫେରାଇ ଦିଅନ୍ତି | ଶେଷରେ ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କଲେଜିୟମର ସୁପାରିଶ ଚୂଡାନ୍ତ ହୋଇଯାଏ |