ହିଜାବ ବିବାଦ: ସବୁ ଶିକ୍ଷାନୁଷ୍ଠାନ ତିନି ଦିନ ବନ୍ଦ ରଖିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମଇଙ୍କ ନିର୍ଦ୍ଦେଶ | News Room Odisha

ହିଜାବ ବିବାଦ: ସବୁ ଶିକ୍ଷାନୁଷ୍ଠାନ ତିନି ଦିନ ବନ୍ଦ ରଖିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମଇଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: ହିଜାବକୁ ନେଇ ରାଜ୍ୟର କିଛି କଲେଜରେ ବିବାଦ ବଢୁଥିବାରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ରାଜ୍ୟର ସବୁ ହାଇସ୍କୁଲ ଏବଂ କଲେଜକୁ ତିନି ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦକୁ ନେଇ ଆଗତ ପିଟିସନର ଶୁଣାଣି ଚାଲିଛି । ହାଇକୋର୍ଟ କହିଛନ୍ତି ଯେ କୌଣସି ଆବେଗ କିମ୍ବା ଭାବନା ନୁହେଁ ବରଂ କାରଣ ଏବଂ ଆଇନ ଆଧାରରେ ଅଦାଲତ କାର୍ଯ୍ୟ କରିବେ। ଅଦାଲତ ଆହୁରି କହିଛନ୍ତି ଯେ ସମ୍ବିଧାନ ଯାହା କହିବ ଆମେ ତାହା କରିବୁ, ସମ୍ବିଧାନ ହେଉଛି ଭଗବଦ୍ ଗୀତା। ସମସ୍ତ ଆବେଦନ ଉପରେ କେବଳ ଗୋଟିଏ ନିଷ୍ପତ୍ତି ଲାଗୁ ହେବ ବୋଲି କୋର୍ଟ କହିଛନ୍ତି।

କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଉଡୁପିରେ କିଛି ଛାତ୍ରୀଙ୍କୁ ହିଜାବ ପିନ୍ଧିଥିବାରୁ ଶ୍ରେଣୀରେ ପ୍ରବେଶ ଅନୁମତି ମିଳିନଥିଲା। କଲେଜ ତରଫରୁ କୁହାଯାଇଥିଲା ଯେ ଯଦି ଏଠାରେ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ୟୁନିଫର୍ମ ଲାଗୁ ହୋଇଛି, ତେବେ ଅଲଗା ପୋଷାକ ପିନ୍ଧି ଆସୁଥିବା ପିଲାଙ୍କୁ କଲେଜରେ ବସିବାକୁ ଦିଆଯିବ ନାହିଁ | ଏହା ବିରୋଧରେ ହିଜାବ ପିନ୍ଧିବାକୁ ଜିଦ୍ ଧରିଥିବା ଛାତ୍ରଛାତ୍ରୀମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ହିଜାବ ପିନ୍ଧିବାକୁ ଅନୁମତି ନ ଦେବା ମୌଳିକ ଅଧିକାରର ଉଲ୍ଲଂଘନ ।

ଉଡୁପି ପରେ ହିଜାବ ବିବାଦର ପ୍ରଭାବ ପରେ ରାଜ୍ୟର ଅନ୍ୟ କଲେଜ ଗୁଡ଼ିକରେ ଦେଖିବାକୁ ମିଳିଥିଲା ।