କର୍ଣ୍ଣାଟକରେ ପୁଣି ହିଜାବ ବିବାଦ: ହିଜାବ ପିନ୍ଧି ପରୀକ୍ଷାରେ ବସିବାକୁ ଅନୁମତି ଦେଲେ ରାଜ୍ୟ ସରକାର | News Room Odisha

କର୍ଣ୍ଣାଟକରେ ପୁଣି ହିଜାବ ବିବାଦ: ହିଜାବ ପିନ୍ଧି ପରୀକ୍ଷାରେ ବସିବାକୁ ଅନୁମତି ଦେଲେ ରାଜ୍ୟ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଇଛନ୍ତି। ସିଦ୍ଧରମୈୟା ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ରାଜ୍ୟରେ ହିଜାବ ବିବାଦ ପୁଣି ତେଜିପାରେ । ଗତ ବର୍ଷ କର୍ଣ୍ଣାଟକରେ ହିଜାବକୁ ନେଇ ବହୁ ତ ବାଦବିବାଦ ଦେଖା ଦେଇଥିଲା । ଏହି ମାମଲା କୋର୍ଟରେ ପହଞ୍ଚିଥିଲା।

କର୍ଣ୍ଣାଟକ ସରକାରଙ୍କ ସଦ୍ୟତମ ନିଷ୍ପତ୍ତିକୁ ହିନ୍ଦୁ ସଂଗଠନ ନାପସନ୍ଦ କରିଛନ୍ତି । ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଏମ.ସି ସୁଧାକର ଏହି ଆଦେଶ ନେଇଛନ୍ତି। ହେଲେ ଏହା ବିରୋଧରେ ହିନ୍ଦୁ ସଂଗଠନ ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସୁଧାକର ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଧର୍ମନିରପେକ୍ଷ ଦେଶ।ଲୋକମାନେ ନିଜ ଇଚ୍ଛାନୁସାରେ ପୋଷାକ ପିନ୍ଧି ପାରିବେ।

ସୁଧାକର କହିଛନ୍ତି, ହିଜାବ ପିନ୍ଧିଥିବା ଛାତ୍ରୀମାନେ ପରୀକ୍ଷା ଆରମ୍ଭ ହେବାର ଅତି କମରେ ଏକ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡିବ। ସେମାନଙ୍କ ସମ୍ପୂର୍ଣ୍ଣ ଯାଞ୍ଚ୍ କରାଯିବ। ଆମେ କୌଣସି ପ୍ରକାରର ଅନିୟମିତତା ଚାହୁଁନାହୁଁ | ନିଟ୍ ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରୀମାନେ ମଧ୍ୟ ହିଜାବ ପିନ୍ଧି ପାରିବେ ।”

ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ନେଇ ଧମକ ଦେଉଥିବା ସଂଗଠନଗୁଡ଼ିକ ଉପରେ ସେ କହିଛନ୍ତି, “ମୁଁ ଏହି ଲୋକମାନଙ୍କର ତର୍କ ବୁଝିପାରୁ ନାହିଁ। କେହି ଅନ୍ୟର ଅଧିକାର ଉଲ୍ଲଂଘନ କରିପାରିବେ ନାହିଁ | ଏହା ଏକ ଧର୍ମନିରପେକ୍ଷ ଦେଶ। ”

ଉଲ୍ଲେଖଯୋଗ୍ୟ, ଗତବର୍ଷ କର୍ଣ୍ଣାଟକ ଉଡୁପି ମହିଳା ପ୍ରି-ୟୁନିଭରସିଟି କଲେଜରେ କିଛି ମୁସଲିମ ସ୍କୁଲ ଛାତ୍ରୀ ହିଜାବ ପିନ୍ଧି ଶ୍ରେଣୀକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଥିଲା | କ୍ରମେ ଏହି ବିବାଦ ସାରା ରାଜ୍ୟକୁ ବ୍ୟାପିଯାଇଥିଲା ।‌ କଲେଜରେ ସଂଘର୍ଷର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ସେତେବେଳେ ରାଜ୍ୟର ବିଜେପି ସରକାର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ୍ କରିଥିଲେ ।