ସ୍ୱାମୀଙ୍କୁ 'କଳା' ବର୍ଣ୍ଣ ପାଇଁ ଅପମାନିତ କରିବା ନିଷ୍ଠୁରତା: କର୍ଣ୍ଣାଟକ ହାଇକୋର୍ଟ  | News Room Odisha

ସ୍ୱାମୀଙ୍କୁ ‘କଳା’ ବର୍ଣ୍ଣ ପାଇଁ ଅପମାନିତ କରିବା ନିଷ୍ଠୁରତା: କର୍ଣ୍ଣାଟକ ହାଇକୋର୍ଟ 

ନୂଆଦିଲ୍ଲୀ: ସ୍ୱାମୀଙ୍କୁ ତାଙ୍କ ‘କଳା’ ବର୍ଣ୍ଣ ପାଇଁ  ଅପମାନିତ କରିବା ନିଷ୍ଠୁରତା ଓ ଏହା ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ବୈଧ କାରଣ ହୋଇପାରିବ |  ନିକଟରେ  ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ୪୧ ବର୍ଷିୟା ପତ୍ନୀଙ୍କଠାରୁ ଛାଡପତ୍ର ପାଇଁ ଅନୁମତି ପ୍ରଦାନ କରିବା ସହ କର୍ଣ୍ଣାଟକ ହାଇକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି ।

କୋର୍ଟ କହିଛନ୍ତି, ଉପଲବ୍ଧ ପ୍ରମାଣକୁ ଗଭୀର ଭାବେ ଅନୁଧ୍ୟାନ କରିବା ପରେ ଏହା  ସ୍ପଷ୍ଟ ଯେ  କଳା ବର୍ଣ୍ଣ ପାଇଁ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ହିନ୍ଦୁ ବିବାହ ଆଇନର ଧାରା ୧୩ (୧) (ଏ) ଅନୁଯାୟୀ ଛାଡପତ୍ର ପାଇଁ ଆବେଦନକୁ ଅନୁମତି ପ୍ରଦାନ ପୂର୍ବକ ହାଇକୋର୍ଟ କହିଛନ୍ତି ଯେ, ଏହି ଦିଗକୁ ଲୁଚାଇବା ପାଇଁ ସେ (ପତ୍ନୀ) ସ୍ୱାମୀଙ୍କ ବିରୋଧରେ ଅନୈତିକ ସମ୍ପର୍କର ମିଥ୍ୟା ଅଭିଯୋଗ କରିଛନ୍ତି। ଏହା ନିଷ୍ଠୁରତା ସହିତ ସମାନ। ”

ବାଙ୍ଗାଲୋରରେ ରହୁଥିବା ଏହି ଦମ୍ପତି ୨୦୦୭ରେ ବିବାହ କରିଥିଲେ ଏବଂ ସେମାନଙ୍କ ଏକ ଝିଅ ଅଛି । ତେବେ ସ୍ବାମୀ ଜଣକ ୨୦୧୨ରେ ବାଙ୍ଗାଲୋରର ଏକ ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ।  ମହିଳା ଜଣକ ମଧ୍ୟ ଆଇପିସି ଧାରା ୪୯୮ଏ (ବିବାହିତା ମହିଳାଙ୍କ ପ୍ରତି ଘରୋଇ ହିଂସା) ଅନୁଯାୟୀ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସେ ତାଙ୍କ ଝିଅକୁ ଛାଡ଼ି ନିଜ ବାପାମା’ଙ୍କ ସହ ରହୁଥିଲେ ।

ପରିବାର କୋର୍ଟରେ ସେ ଏହି ଅଭିଯୋଗକୁ ଅସ୍ୱୀକାର କରି ତାଙ୍କ ସ୍ୱାମୀ ଏବଂ ଶାଶୁ ନିର୍ଯାତନା ଦେଉଥିବା ପାଲଟା ଅଭିଯୋଗ କରିଥିଲେ । ଛାଡପତ୍ର ପାଇଁ ସ୍ୱାମୀଙ୍କ ଆବେଦନକୁ ପରିବାର କୋର୍ଟ ୨୦୧୭ରେ ଖାରଜ କରିଥିଲେ ।  ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।