ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ ବୟସ ସୀମା ଧାର୍ଯ୍ୟ କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ | News Room Odisha

ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ ବୟସ ସୀମା ଧାର୍ଯ୍ୟ କରିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ

ବେଙ୍ଗାଲୁରୁ: ସୋସିଆଲ ମିଡିଆ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ସୀମା ଧାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସୋସିଆଲ ମିଡିଆ ବ୍ୟବହାର କରିବାକୁ ସର୍ବନିମ୍ନ ବୟସ ‘ଅତି କମରେ ୨୧’ ହେବା ଉଚିତ । କେନ୍ଦ୍ର ସରକାର ଏନେଇ ବିଚାର କରିବା ଦରକାର ବୋଲି କହିଛନ୍ତି କୋର୍ଟ।

ଏକ ନିର୍ଦ୍ଦିଷ୍ଟ ସୋସିଆଲ ମିଡିଆ ଆକାଉଣ୍ଟ ଓ ଟ୍ୱିଟକୁ ହଟାଇବା ପାଇଁ କେନ୍ଦ୍ରର ଆଦେଶକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ ରାୟର ପୁନର୍ବିଚାର ପାଇଁ ଏକ୍ସ କର୍ପ (ପୂର୍ବରୁ ଟ୍ୱିଟର) ର ପିଟିସନ ଶୁଣାଣି ବେଳେ ଏଭଳି ଟିପ୍ପଣୀ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ।

କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ସୋସିଆଲ ମିଡିଆ କମ୍ପାନୀର ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ । ଏଥିସହ ସରକାର ନିର୍ଦ୍ଦେଶ ପାଳନ ନ କରିବାରୁ କମ୍ପାନୀ ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ।

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ବର୍ତ୍ତମାନ କିଛି ଅନଲାଇନ୍ ଗେମ୍ ପାଇଁ ଲୋକଙ୍କୁ ଆଧାର ଏବଂ ଅନ୍ୟାନ୍ୟ ଦସ୍ତାବିଜ୍ ଦାଖଲ କରିବା ନିୟମ ରହିଛି । ତେବେ ସୋସିଆଲ ମିଡିଆରେ କାହିଁକି ଏପରି ନିୟମ ଲାଗୁ କରାଯାଉ ନାହିଁ ବୋଲି କୋର୍ଟ ପଚାରିଥିଲେ ।

ଜଷ୍ଟିସ ଜି ନରେନ୍ଦ୍ର କହିଥିଲେ, ‘ଆଜିକାଲି ସ୍କୁଲ ପିଲାମାନଙ୍କୁ ଯେଉଁଭଳି ସୋସିଆଲ ମିଡ଼ିଆ ନିଶା ଘାରିଛି ତାହା ଚିନ୍ତାର ବିଷୟ। ଅବକାରୀ ନିୟମ ପରି ସୋସିଆଲ ମିଡ଼ିଆ ବ୍ୟବହାର ପାଇଁ ମଧ୍ୟ ବୟସ ସୀମା ରହିବା ଉଚିତ୍ ।

ହାଇକୋର୍ଟ କହିଥିଲେ, ‘ଏହି ପିଲାମାନେ ହୁଏତ ୧୭ କିମ୍ବା ୧୮ ବର୍ଷର ହୋଇପାରନ୍ତି, କିନ୍ତୁ ଦେଶର ସ୍ୱାର୍ଥରେ କ’ଣ ଭଲ ଏବଂ କ’ଣ ନୁହେଁ ତାହା ସ୍ଥିର କରିବାକୁ ସେମାନେ ସମର୍ଥ ନୁହଁନ୍ତି । ମନକୁ କଳୁଷିତ କରୁଥିବା ବିଷୟବସ୍ତୁ କେବଳ ସୋସିଆଲ ମିଡିଆ ନୁହେଁ ଇଣ୍ଟରନେଟରୁ ମଧ୍ୟ ହଟାଯିବା ଉଚିତ୍ | ସୋସିଆଲ ମିଡିଆ ବ୍ୟବହାର ପାଇଁ ସରକାର ଏକ ବୟସ ସୀମା ଧାର୍ଯ୍ୟ କରିବାକୁ ମଧ୍ୟ ବିଚାର କରିବା ଉଚିତ।