ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ | News Room Odisha

ମେ ୧୦ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଆଜି ନିର୍ବାଚନ ଆୟୋଗ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମେ ୧୦ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ । ମେ ୧୩ ତାରିଖରେ ଭୋଟ୍ ଗଣତି ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ୍‌ ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍‌ ୨୦ ତାରିଖ। ସେହିପରି, ଏପ୍ରିଲ୍‌ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍‌୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।

ସମଗ୍ର କର୍ଣ୍ଣାଟକର ୨୨୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ନିମନ୍ତେ ୫୮,୨୮୨ଟି ମତଦାନ କେନ୍ଦ୍ର ସ୍ଥାପନା କରାଯିବ। ପ୍ରତି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ହାରାହାରି ମତଦାତାଙ୍କ ସଂଖ୍ୟା ହେଉଛି ୮୮୩। ଏହାଛଡ଼ା, ୫୦% ମତଦାନ କେନ୍ଦ୍ରରେ ‘ୱେବ୍‌ କାଷ୍ଟିଙ୍ଗ୍‌’ ସୁବିଧା ରହିବ। ୧୩୨୦ ମତଦାନ କେନ୍ଦ୍ରକୁ କେବଳ ମହିଳାମାନେ ପରିଚାଳନା କରିବେ।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ ୨୪ରେ ଶେଷ ହେବାକୁ ଯାଉଛି। ୨୦୧୮ ବିଧାନସଭା ନିର୍ବାଚନରେ ​​ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ୧୦୪ଟି ଆସନ ଜିତିଥିଲା । କଂଗ୍ରେସକୁ ୮୦ଟି ସିଟ୍ ମିଳିଥିବା ବେଳେ ଜେଡିଏସ୍ ୩୭ଟି ସିଟ୍ ଜିତିଥିଲା ।

୨୦୧୮ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନଥିଲା । କିନ୍ତୁ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ ବିଜେପି ସରକାର ଗଢ଼ିବା‌‌ ପାଇଁ ଦାବି କରିଥିଲା । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ବହୁମତ ପ୍ରମାଣ କରିବାରେ ବିଫଳ ହୋଇଥିବାରୁ ଦିନକ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହାପରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବେ ସରକାର ଗଠନ କରିଥିଲେ । ଜେଡିଏସ୍ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କଂଗ୍ରେସ-ଜେଡିଏସର ସରକାର ପ୍ରାୟ ୧୪ ମାସ ପରେ ଭାଙ୍ଗିଯାଇଥିଲା । ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ‌ ପୁଣି ବିଜେପି ସରକାର ଗଢିଥିଲା । ତେବେ ୨୦୨୧ରେ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇଥିଲା । ୟେଦୁରପ୍ପାଙ୍କୁ ହଟାଇ ବାସବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା ।