କାଶ୍ମୀର ପଣ୍ଡିତଙ୍କ ଅଭିଯୋଗ, 'ଦି କାଶ୍ମୀର ଫାଇଲ୍ସ' ଉପରେ ମନ୍ତବ୍ୟ ପାଇଁ ବିଜେପି ଗୁଣ୍ଡା କରୁଛନ୍ତି ହଇରାଣ | News Room Odisha

କାଶ୍ମୀର ପଣ୍ଡିତଙ୍କ ଅଭିଯୋଗ, ‘ଦି କାଶ୍ମୀର ଫାଇଲ୍ସ’ ଉପରେ ମନ୍ତବ୍ୟ ପାଇଁ ବିଜେପି ଗୁଣ୍ଡା କରୁଛନ୍ତି ହଇରାଣ

ଜାମ୍ମୁ: କାଶ୍ମୀରର ଜଣେ ପ୍ରମୁଖ ପଣ୍ଡିତ କର୍ମୀ ଅଭିଯୋଗ କରିଛନ୍ତି ଯେ ‘ଦି କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ତାଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ବିଜେପି ଗୁଣ୍ଡାମାନେ ହଇରାଣ କରୁଛନ୍ତି। ତେବେ ବିଜେପି ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ସୁନୀଲ ପଣ୍ଡିତା ନାମକ ଜଣେ କାଶ୍ମୀର ପଣ୍ଡିତ କର୍ମୀ କହିଛନ୍ତି ଯେ ସେ ଏନେଇ ଫୋନ ଯୋଗେ ପୋଲିସକୁ ସୂଚନା ଦେଇଛନ୍ତି ଏବଂ ସେ ଶୀଘ୍ର ପୋଲିସ ଷ୍ଟେସନକୁ ଯାଇ ଲିଖିତ ଅଭିଯୋଗ କରିବେ। ସେପଟେ ପୋଲିସ କହିଛି ଯେ ବର୍ତ୍ତମାନ ସୁଦ୍ଧା ସେମାନେ କୌଣସି ଅଭିଯୋଗ ଗ୍ରହଣ କରିନାହାଁନ୍ତି।

ରବିବାର ଦିନ ‘ଦି କାଶ୍ମୀର ଫାଇଲ୍ସ’ ଫିଲ୍ମର ସମର୍ଥନ ପାଇଁ ଆୟୋଜିତ ଏକ ରାଲିରେ  ବିଜେପି କର୍ମୀମାନେ ତାଙ୍କୁ ହଇରାଣ କରିଥିଲେ ଏବଂ ଧମକ ଦେଇଥିଲେ ବୋଲି ପଣ୍ଡିତା ଅଭିଯୋଗ କରିଛନ୍ତି। ପଣ୍ଡିତା କହିଛନ୍ତି, ସେମାନେ ମଦ୍ୟପାନ କରି ମୋ ଘର ବାହାରେ ପ୍ରାୟ ଅଧ ଘଣ୍ଟା ଧରି ମୋ ବିରୁଦ୍ଧରେ ଅଶାଳୀନ ଭାଷା ବ୍ୟବହାର କରିଥିଲେ। ମୋ ପତ୍ନୀ ଦୁଇଥର ଚେତା ଶୂନ୍ୟ ହୋଇପଡ଼ିଥିଲେ ଏବଂ ଭୟଭୀତ ହୋଇ ମୋତେ ଘରୁ ବାହାରକୁ ଯିବାକୁ ଦେଲେ ନାହିଁ। ”

ପଣ୍ଡିତାଙ୍କ ଅଭିଯୋଗ ସମ୍ପର୍କରେ ଜାମ୍ମୁ କାଶ୍ମୀର ବିଜେପିର  ପ୍ରେସ ସଚିବ ପ୍ରଦୀପ ମହୋତ୍ରା କହିଛନ୍ତି ଯେ ଦଳ ଏଭଳି ରାଲିର ଆୟୋଜନ କରି ନାହିଁ ଏବଂ ପଣ୍ଡିତାଙ୍କ ଅଭିଯୋଗ ଭିତ୍ତିହୀନ।

ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାରୁ ପଳାୟନ କରିଥିବା ପଣ୍ଡିତା ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ ଦି କାଶ୍ମୀର ଫାଇଲ୍ସ’ ବିରୋଧରେ ସ୍ୱର ଉଠାଇଥିଲେ । ସେ ଏହାକୁ ଏକପାଖିଆ କାହାଣୀ ବୋଲି କହି ଏହି ଚଳଚ୍ଚିତ୍ର ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ବୋଲି କହିଥିଲେ ।