କାଶ୍ମୀର ଉପତ୍ୟକାରେ ପୁଣି ଟାର୍ଗେଟ କିଲିଂ, କାଶ୍ମୀରୀ ପଣ୍ଡିତ ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା | News Room Odisha

କାଶ୍ମୀର ଉପତ୍ୟକାରେ ପୁଣି ଟାର୍ଗେଟ କିଲିଂ, କାଶ୍ମୀରୀ ପଣ୍ଡିତ ଶିକ୍ଷୟତ୍ରୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ମଙ୍ଗଳବାର ଜଣେ କାଶ୍ମୀରୀ ପଣ୍ଡିତ ଶିକ୍ଷୟତ୍ରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ସୂଚନା ମୁତାବକ କୁଲଗାମ ଜିଲ୍ଲାର ଗୋପାଳପୁରରେ ରଜନୀ ବାଲା (୩୬) ଙ୍କ ମୁଣ୍ଡକୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ରଜନୀବାଲା ଗୋପାଳପୁର ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଏହି ଘଟଣା ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ଚାରିଆଡୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ କହିଛି।

ଉଲ୍ଲେଖଯୋଗ୍ୟ, ମେ ମାସରେ ଦ୍ୱିତୀୟ ଥର ପାଇଁ କାଶ୍ମୀରୀ ପଣ୍ଡିତ ଆତଙ୍କବାଦୀଙ୍କ ଟାର୍ଗେଟ ହୋଇଛନ୍ତି। ମେ ୧୨ରେ ରାହୁଲ ଭଟ୍ଟ ନାମକ କାଶ୍ମୀରୀ ପଣ୍ଡିତଙ୍କୁ ବୁଦ୍ଧଗାମ ଜିଲ୍ଲାର ଚାଡୋରା ତହସିଲରେ ତହସିଲଦାରଙ୍କ କାର୍ଯ୍ୟାଳୟ ଭିତରେ ଗୁଳି କରି ହତ୍ୟା କରାଯାଇଥିଲା। ମେ ମାସରେ କାଶ୍ମୀରରେ ଏପର୍ଯ୍ୟନ୍ତ ସାତୋଟି ଟାର୍ଗେଟ୍ କିଲିଂ ମାମଲା ରିପୋର୍ଟ ହୋଇଛି । ଏଥିମଧ୍ୟରୁ ଚାରି ଜଣ ସାଧାରଣ ନାଗରିକ ହୋଇଥିବା ବେଳେ ତିନିଜଣ ପୋଲିସ କର୍ମଚାରୀ ଅଛନ୍ତି ।