କୌଣସି ଘୋଟାଲା ହୋଇନାହିଁ, ବିଭ୍ରାନ୍ତ କରୁଛନ୍ତି ଇଡି-ସିବିଆଇ: ଅରବିନ୍ଦ କେଜ୍ରିୱାଲ | News Room Odisha

କୌଣସି ଘୋଟାଲା ହୋଇନାହିଁ, ବିଭ୍ରାନ୍ତ କରୁଛନ୍ତି ଇଡି-ସିବିଆଇ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବାବେଳେ ଏବେ ସିବିଆଇ ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ତାଙ୍କୁ ଏପ୍ରିଲ ୧୬ରେ ଦିନ ୧୧ଟାରେ ଜେରା ପାଇଁ ହାଜର ହେବାକୁ କହିଛି ।

ତାଙ୍କୁ ସମନ ଜାରି କରାଯିବା ନେଇ କେଜ୍ରିୱାଲ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ କୌଣସି ଘୋଟାଲା ହୋଇ ନାହିଁ । ବରଂ କୋର୍ଟଙ୍କୁ ବିଭ୍ରାନ୍ତ କରୁଛନ୍ତି ଇଡି, ସିବିଆଇ । ମନୀଷ ସିସୋଦିଆଙ୍କୁ ଫସାଇବା ପାଇଁ ଇଡି ଅନେକ ଲୋକଙ୍କୁ ଆମ୍ ଆଦମୀ ପାର୍ଟି ନେତାଙ୍କ ନାମ ନେବାକୁ ଚାପ ପକାଉଛି। ଜଣେ ସାକ୍ଷୀଙ୍କ ନାମ ନେଇ କେଜ୍ରିୱାଲ କହିଛନ୍ତି, ସେ ତାଙ୍କ ଓକିଲମାନଙ୍କୁ କହିଛନ୍ତି ଯେ ତାଙ୍କୁ ଆପ୍ ନେତାଙ୍କ ନାମ ନେବାକୁ ଚାପ ପକାଇବା ପାଇଁ ନିର୍ଯାତନା ଦିଆଯାଉଛି।

କେଜ୍ରିୱାଲ ତାଙ୍କ ପିସିରେ ଆହୁରି କହିଛନ୍ତି ଯେ ସେ ନିଜ ସ୍ତରରେ ଏହି ମାମଲାର ଯାଞ୍ଚ୍ କରିଛନ୍ତି । ମନୀଷ ସିସୋଦିଆଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିମାନେ ଯାହା ଦାବି କରୁଛନ୍ତି ତାହା ଭିତ୍ତିହୀନ। ଇଡି ଏବଂ ସିବିଆଇ କହିଛି ଯେ ମନୀଷ ସିସୋଦିଆ ତାଙ୍କ ୧୪ଟି ମୋବାଇଲ୍ ଫୋନ୍ ଭାଙ୍ଗି ପ୍ରମାଣ ନଷ୍ଟ କରିଦେଇଛନ୍ତି। କିନ୍ତୁ ଇଡି ପାଖରେ ୫ଟି ଫୋନ୍ ଅଛି ଏବଂ ଅବଶିଷ୍ଟ ୯ଟି ଫୋନ୍ ବ୍ୟବହାର କରାଯାଉଛି । ଇଡି-ସିବିଆଇ ଜାଣିଛନ୍ତି ଯେ ଫୋନ୍ ଗୁଡିକ କାମ କରୁଛି |

ଆମ୍ ​​ଆଦମୀ ପାର୍ଟି କରୁଥିବା ଭଲ କାମ ବନ୍ଦ କରିବା ପାଇଁ ଏହା ଏକ ବଡ଼ ଷଡଯନ୍ତ୍ର। ଏଥିପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ସହାୟତା ନିଆଯାଉଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ‘ଏପର୍ଯ୍ୟନ୍ତ ଏହି ମାମଲାରେ ୪୦୦ରୁ ଅଧିକ ଚଢ଼ାଉ ହୋଇଛି । ମଦ ଦୁର୍ନୀତିରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ନେତାଙ୍କଠାରୁ ଟଙ୍କାଟିଏ ମଧ୍ୟ ମିଳିନାହିଁ। ଅବକାରୀ ନୀତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଥିଲା, ଏଥିରେ କୌଣସି ଘୋଟାଲା ନଥିଲା। ଏହି ନୀତିରୁ ରାଜସ୍ୱ ବଢ଼ିଥାଆନ୍ତା | ସେଥିପାଇଁ କେନ୍ଦ୍ର ଆପ୍ ସରକାରକୁ ଫସେଇ ଦେଲା ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତି ଦୂର କରିବା ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ୍ ହେଉଛି ଅରବିନ୍ଦ କେଜ୍ରିୱାଲ । କାରଣ ଆପଣ ୨ ନମ୍ବରକୁ ଗିରଫ କଲେ, ୩ ନମ୍ବରକୁ ଗିରଫ କଲେ, ଏବେ ମୋତେ ଟାର୍ଗେଟ କରାଯାଇଛି।