'ମୁଁ ଅପରାଧୀ ନୁହେଁ', ସିଙ୍ଗାପୁର ଗସ୍ତ ପାଇଁ କେନ୍ଦ୍ର ଅନୁମତି ଦେଉନଥିବାରୁ କେଜ୍ରିୱାଲଙ୍କ ଅସନ୍ତୋଷ | News Room Odisha

‘ମୁଁ ଅପରାଧୀ ନୁହେଁ’, ସିଙ୍ଗାପୁର ଗସ୍ତ ପାଇଁ କେନ୍ଦ୍ର ଅନୁମତି ଦେଉନଥିବାରୁ କେଜ୍ରିୱାଲଙ୍କ ଅସନ୍ତୋଷ

ନୂଆଦିଲ୍ଲୀ: ରାଜନୈତକ କାରଣ ଯୋଗୁଁ ତାଙ୍କୁ ସିଙ୍ଗାପୁରରେ ଏକ ସମ୍ମିଳନୀରେ ଯୋଗଦେବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୁଁ ଅପରାଧୀ ନୁହେଁ ।

କେଜ୍ରିୱାଲ କହିଛନ୍ତି ଯେ ସିଙ୍ଗାପୁରରେ ହେବାକୁ ଥିବା ‘ବିଶ୍ୱ ନଗର ଶିଖର ସମ୍ମିଳନୀ’ରେ ଯୋଗଦେବା ପାଇଁ ତାଙ୍କୁ ସେହି ଦେଶର ସରକାର ନିମନ୍ତ୍ରଣ କରିଛନ୍ତି । ଯେଉଁଠାରେ ସେ ବିଶ୍ୱ ନେତାଙ୍କ ନିକଟରେ’ ଦିଲ୍ଲୀ ମଡେଲ ‘ଉପସ୍ଥାପନ କରିବେ ଏବଂ ଭାରତ ପାଇଁ ଗୌରବ ଆଣିବେ।

ତାଙ୍କ ଗସ୍ତ ପାଇଁ ଅନୁମତି ଦେବାରେ କେନ୍ଦ୍ରର ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରି କେଜ୍ରିୱାଲ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ଏବଂ କହିଥିଲେ ଯେ ସେ ଗତ ଏକ ମାସ ଧରି କେନ୍ଦ୍ରର ଅନୁମତିକୁ ଅପେକ୍ଷା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ମୁଁ ଅପରାଧୀ ନୁହେଁ, ମୁଁ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦେଶର ମୁକ୍ତ ନାଗରିକ। ମୋତେ ସିଙ୍ଗାପୁର ଯିବାକୁ ବାରଣ କରିବାର କୌଣସି ଆଇନଗତ ଆଧାର ନାହିଁ, ତେଣୁ ଏହା ପଛରେ ଏକ ରାଜନୈତକ କାରଣ ଥିବା ମନେ ହେଉଛି। ”

ଜୁନ୍ ମାସରେ ସିଙ୍ଗାପୁରର ହାଇ କମିଶନର ସାଇମନ୍ ୱଙ୍ଗ କେଜ୍ରିୱାଲଙ୍କୁ ଏହି ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ। ଅଗଷ୍ଟ ପ୍ରଥମ ସପ୍ତାହରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ପ୍ରଥମ ଦିନରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ସାଧାରଣତ ସେ ବିଦେଶ ଗସ୍ତରେ ଯାଆନ୍ତି ନାହିଁ, କିନ୍ତୁ ଦେଶର ବିକାଶ ସହ ଜଡିତ ଥିବାରୁ ସିଙ୍ଗାପୁର ସମ୍ମିଳନୀରେ ଭାଗ ନେବାକୁ ଚାହାଁନ୍ତି।