ଗୁଜରାଟ ନିର୍ବାଚନରୁ ଓରହିଲେ ସତ୍ୟନ୍ଦ୍ର ଜୈନଙ୍କୁ ଛାଡ଼ିଦେବୁ ବୋଲି ବିଜେପି ଦେଇଥିଲା ଅଫର୍: କେଜ୍ରିୱାଲ | News Room Odisha

ଗୁଜରାଟ ନିର୍ବାଚନରୁ ଓରହିଲେ ସତ୍ୟନ୍ଦ୍ର ଜୈନଙ୍କୁ ଛାଡ଼ିଦେବୁ ବୋଲି ବିଜେପି ଦେଇଥିଲା ଅଫର୍: କେଜ୍ରିୱାଲ

ଅହମ୍ମଦାବାଦ: ବିଜେପି ବିରୋଧରେ ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଗୁଜରାଟ ନିର୍ବାଚନରୁ ଯଦି ଆପ୍ ଓରହିଯାଏ ତେବେ ତାଙ୍କ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କୁ ଛାଡ଼ି ଦିଆଯିବ ବୋଲି ବିଜେପି ତାଙ୍କୁ ଅଫର ଦେଇଥିଲା ବୋଲି କେଜ୍ରିୱାଲ ଦାବି କରିଛନ୍ତି । ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ସମ୍ପ୍ରତି ଜେଲରେ ଥିବା ବେଳେ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିଛି ।ସିବିଆଇ ମନୀଷ ସିସୋଦିଆଙ୍କୁ ଦୁଇଥର ଜେରା ମଧ୍ୟ କରିସାରିଛି । ତେବେ କେଜ୍ରିୱାଲ କହିଛନ୍ତି ଯେ ସିବିଆଇ ସିସୋଦିଆଙ୍କୁ ଜେରା କମ୍ ଓ ଆପ୍ ଛାଡି ବିଜେପିରେ ଯୋଗ ଦେବାକୁ ଅଧିକ କହିଛି । ଆପ୍ ଛାଡ଼ିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସିସୋଦିଆଙ୍କୁ ବିଜେପି ପ୍ରଲୋଭନ ଦେଖାଇଥିଲା ବୋଲି କେଜ୍ରିୱାଲ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ।

ବିଜେପି ସରକାରକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି ଯେ ଏହି ସପ୍ତାହରେ ପୋଲ ଭୁଶୁଡ଼ିବା ଘଟଣାରୁ ରାଜ୍ୟରେ ଦୁର୍ନୀତିର ସୀମା ସ୍ପଷ୍ଟ ହୋଇଯାଇଛି। ଗୁଜରାଟର ଲୋକେ ଆସନ୍ତା ମାସରେ ବିଜେପିକୁ କ୍ଷମତାରୁ ବାହାର କରିବେ। ସେ କହିଛନ୍ତି, “ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଯାଉଛି। ପୋଲର ମରାମତି କାର୍ଯ୍ୟ ସେମାନେ ଏକ ଘଣ୍ଟା ତିଆରି କରୁଥିବା କମ୍ପାନୀକୁ ଦେଇଥିଲେ । ଏହାର ମାଲିକ ଫେରାର ଅଛନ୍ତି। ଏତଲାରେ ତାଙ୍କ ନାମ କାହିଁକି ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।