ପ୍ରଦୂଷଣ ନିୟନ୍ତ୍ରଣରେ ଯୁଗ୍ମ-ଅଯୁଗ୍ମ ନିୟମ ପ୍ରଭାବୀ, ସୁପ୍ରିମକୋର୍ଟଙ୍କୁ କହିଲେ କେଜ୍ରିୱାଲ ସରକାର | News Room Odisha

ପ୍ରଦୂଷଣ ନିୟନ୍ତ୍ରଣରେ ଯୁଗ୍ମ-ଅଯୁଗ୍ମ ନିୟମ ପ୍ରଭାବୀ, ସୁପ୍ରିମକୋର୍ଟଙ୍କୁ କହିଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ନିୟନ୍ତ୍ରଣରେ ପାଇଁ ଅରବିନ୍ଦ କେଜ୍ରିୱାଲ ସରକାର ନଭେମ୍ବର ୧୩ରୁ ଯୁଗ୍ମ-ଅଯୁଗ୍ମ ନିୟମ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ତା’ପୂର୍ବରୁ ଏହାର ସୁଫଳ ଓ ପ୍ରଭାବ ସମ୍ପର୍କରେ କେଜ୍ରିୱାଲ ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏକ ତୁଳନାତ୍ମକ ଅଧ୍ୟୟନରୁ ଯୁଗ୍ମ-ଅଯୁଗ୍ମ ନିୟମ ଦ୍ବାରା ପ୍ରଦୂଷଣ ସ୍ତର କମାଇବାରେ ପ୍ରଭାବୀ ସାବ୍ୟସ୍ତ ହୋଇଛି ବୋଲି ଜଣାପଡିଛି। ଏହି ନିୟମ ଲାଗୁ ଦ୍ବାରା ବାହାନ କିଲୋମିଟର ଯାତ୍ରା (ଭିକେଟି)ରେ ପ୍ରାୟ ୬% ହ୍ରାସ ଘଟିଛି ବୋଲି ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ।

ସତ୍ୟପାଠରେ ଦିଲ୍ଲୀ ସରକାର ଦାବି କରିଛନ୍ତି ଯେ ସହରରେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେଲେ ଯାନବାହନ ଚଳାଚଳ କମିବ ଓ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଏହି ଯୋଜନା କାର୍ଯ୍ୟକାରୀ ହେବା ସମୟରେ ପ୍ରତିଦିନ ହାରାହାରି ଇନ୍ଧନ ବ୍ୟବହାର ପ୍ରାୟ ୧୫% ହ୍ରାସ ପାଇଛି ବୋଲି ସୁପ୍ରିମକୋର୍ଟଙ୍କୁ କହିଛନ୍ତି କେଜ୍ରିୱାଲ ସରକାର । ଏହାଛଡ଼ା ଦିଲ୍ଲୀର ଇଣ୍ଟିଗ୍ରେଟେଡ୍ ମଲ୍ଟି-ମୋଡାଲ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଡିଆଇଏମଟିଏସ୍) ରିପୋର୍ଟରେ କୁହାଯାଇଛି ଯେ ଯୁଗ୍ମ-ଅଯୁଗ୍ମ ନିୟମ ଦ୍ଵାରା ଯାନବାହାନରୁ ନିର୍ଗତ ଧୂଆଁ ମାତ୍ରାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି |

ଏହା ପୂର୍ବରୁ ନଭେମ୍ବର ୭ରେ ହୋଇଥିବା ଶୁଣାଣି ସମୟରେ ଦୁଇ ଜଣିଆ ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ଜଷ୍ଟିସ ଏସ.କେ କୌଲ୍ ଦିଲ୍ଲୀ ସରକାରୀ ଓକିଲଙ୍କୁ ଯୁଗ୍ମ-ଅଯୁଗ୍ମ ନିୟମ ସଫଳ ହୋଇଛି କି? ନା ଏହା କେବଳ ଲୋକ ଦେଖାଣିଆ ପାଇଁ ବୋଲି ପଚାରିଥିଲେ। ଏହି ନିୟମ ପ୍ରଦୂଷଣ ରୋକିବାରେ କେତେ ପ୍ରଭାବୀ ସେନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ‌ ।