ୟୁନିଫର୍ମ ସିଭିଲ କୋଡ୍ ନେଇ ବିଜେପିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ କେଜ୍ରିୱାଲ | News Room Odisha

ୟୁନିଫର୍ମ ସିଭିଲ କୋଡ୍ ନେଇ ବିଜେପିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ: ୟୁନିଫର୍ମ ସିଭିଲ କୋଡ୍ ତଥା ସମାନ ନାଗରିକ ସଂହିତା ଆବଶ୍ୟକତାର ଯାଞ୍ଚ୍ ପାଇଁ ଗୁଜରାଟ ସରକାରଙ୍କ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ନିଷ୍ପତ୍ତି ଉପରେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି ।

ଗୁଜରାଟର ଭାବନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାକୁ ବିଜେପି ଯୋଜନା କରୁନାହିଁ। ଏହା ବିଜେପିର କେବଳ ଏକ ନିର୍ବାଚନୀ ଚାଲ୍ ।

ସେ କହିଛନ୍ତି, “ସମ୍ବିଧାନର ଧାରା ୪୪ରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ୟୁନିଫର୍ମ ସିଭିଲ କୋଡ୍ ପ୍ରସ୍ତୁତ କରିବା ସରକାରଙ୍କ ଦାୟିତ୍ବ ଅଟେ। ସରକାର ୟୁନିଫର୍ମ ସିଭିଲ କୋଡ୍ ଏପରି ତିଆରି କରିବା ଉଚିତ ଯେମିତିକି ଏଥିରେ ସବୁ ସମ୍ପ୍ରଦାୟ ସହମତ ହେବେ । ”

“ଭାରତୀୟ ଜନତା ପାର୍ଟି କ’ଣ କଲା ? ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ଏକ କମିଟି ଗଠନ କରାଯାଇଥିଲା । କିନ୍ତୁ ଉତ୍ତରାଖଣ୍ଡ ନିର୍ବାଚନରେ ​​ଜିତିବା ପରେ ଏହା ନିଜ ଘରକୁ ପଳେଇଥିଲା। ଏବେ ଗୁଜରାଟ ନିର୍ବାଚନର ତିନି ଦିନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ୍ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟି ମଧ୍ୟ ନିର୍ବାଚନ ପରେ ନିଜ ଘରକୁ ଚାଲିଯିବ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ କାହିଁକି ଏପରି କମିଟି ଗଠନ କରାଯାଇ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି ।

“ଯଦି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବା ବିଜେପିର ଉଦ୍ଦେଶ୍ୟ, ତେବେ ଏହାକୁ କାହିଁକି ପୂରା ଦେଶରେ କାର୍ଯ୍ୟକାରୀ କରୁ ନାହିଁ? ବିଜେପି ବେଧେ ଲୋକସଭା ନିର୍ବାଚନକୁ ଅପେକ୍ଷା କରିଛି । ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ବିଜେପିର ଉଦ୍ଦେଶ୍ୟ ସନ୍ଦେହଜନକ ବୋଲି କେଜ୍ରିୱାଲ କହିଛନ୍ତି ।