ଇଡିରେ ହାଜର ହେଲେନି କେଜ୍ରିୱାଲ | News Room Odisha

ଇଡିରେ ହାଜର ହେଲେନି କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ସମନକୁ ବେଆଇନ ଦର୍ଶାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡିରେ ହାଜର ହୋଇ ନାହାଁନ୍ତି। ଇଡିରେ ହାଜର ହେବା ବଦଳରେ ସେ ଆଜି ନିର୍ବାଚନ ପ୍ରଚାର କରିବାକୁ ମଧ୍ୟ ପ୍ରଦେଶ ଯିବେ ବୋଲି ଆମ୍ ଆଦମୀ ପାର୍ଟି ସୂତ୍ରରୁ ଜଣାପଡିଛି ।

ତାଙ୍କ ବିରୋଧରେ ସମନ ନୋଟିସ୍ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଏହାକୁ ପ୍ରତ୍ୟାହାର କରିବାକୁ କେଜ୍ରିୱାଲ ଆଜି ଇଡିକୁ ଚିଠି ଲେଖିଥିଲେ। ସେ ଜଣେ ସନ୍ଦିଗ୍ଧ ନା ସାକ୍ଷୀ ତାହା ସମନରେ ଉଲ୍ଲେଖ କରାଯାଇ ନାହିଁ ବୋଲି ମଧ୍ୟ କହିଥିଲେ କେଜ୍ରିୱାଲ ।

ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଇଡି ଅକ୍ଟୋବର ୩୦ରେ କେଜ୍ରିୱାଲଙ୍କୁ ସମନ ଜାରି କରିଥିଲା । ତାଙ୍କୁ ଆଜି ହାଜର ହେବାକୁ କହିଥିଲା ଇଡି।

ଏବେ କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କୁ ଏକ ସାନି ସମନ ଜାରି କରିପାରେ। କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନଙ୍କ ସହ ଆଜି ମଧ୍ୟପ୍ରଦେଶର ସିଙ୍ଗରୌଲିରେ ଏକ ରାଲି କରିବେ ବୋଲି ଜଣାପଡ଼ିଛି ।