ଦିଲ୍ଲୀ ବିଧାନସଭାରେ ଶକ୍ତି ପ୍ରଦର୍ଶନ କଲା ଆପ୍, ଆସ୍ଥା ଭୋଟ୍ ଜିତିଲେ କେଜ୍ରିୱାଲ | News Room Odisha

ଦିଲ୍ଲୀ ବିଧାନସଭାରେ ଶକ୍ତି ପ୍ରଦର୍ଶନ କଲା ଆପ୍, ଆସ୍ଥା ଭୋଟ୍ ଜିତିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ହଙ୍ଗାମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍) ଏକଜୁଟ ରହିଛି ବୋଲି ସାବ୍ୟସ୍ତ କରିବାକୁ କେଜ୍ରିୱାଲଙ୍କ ଦ୍ବାରା ହିଁ ଆଗତ ଅନାସ୍ଥା ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି । ବିଜେପି ବିଧାୟକଙ୍କ ଅନୁପସ୍ଥିତିରେ ହୋଇଥିବା ଭୋଟିଂରେ କେଜ୍ରିୱାଲ ସରକାରଙ୍କୁ ୫୮ ବିଧାୟକ ସମର୍ଥନ କରିଥିବା ବେଳେ ବିରୋଧରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟିର ୬୨ ଜଣ ବିଧାୟକ ଅଛନ୍ତି। ଆଉ ତିନି ଜଣ ଆପ୍ ବିଧାୟକଙ୍କ ଅନୁପସ୍ଥିତିର କାରଣ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଭୋଟ୍ ବିଭାଜନ ମାଧ୍ୟମରେ ଆପ୍ ସରକାର ବହୁମତ ଦେଖାଇଛନ୍ତି | ବିଧାୟକମାନଙ୍କୁ ଛିଡା କରାଇ ଭୋଟ୍ ଗଣନା କରାଯାଇଥିଲା। ୫୯ ବିଧାୟକ (ଉପ ବାଚସ୍ପତିଙ୍କ ସମେତ) ଗୃହରେ ଉପସ୍ଥିତ ଥିଲେ। ବିରୋଧୀ ଗୃହରେ ନ ଥିବାରୁ ସେମାନଙ୍କ ସପକ୍ଷରେ ଜିରୋ ଭୋଟ୍ ପଡ଼ିଥିଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗୃହରେ ଉପସ୍ଥିତ ନଥିବା ତିନି ଜଣ ଆପ୍ ବିଧାୟକଙ୍କ ମଧ୍ୟରୁ ସତ୍ୟେନ୍ଦ୍ର ଜୈନ ଜେଲରେ ଅଛନ୍ତି। ବିଧାନସଭାର ଆଉ ଜଣେ ବାଚସ୍ପତି ରାମ ନିବାସ ଗୋଏଲ କାନାଡାରେ ଥିବାବେଳେ ଅନ୍ୟ ଜଣେ ବିଧାୟକ ନରେଶ ବାଲାନ ଅଷ୍ଟ୍ରେଲିଆ ଯାଇଛନ୍ତି।

ଅବକାରୀ ଦୁର୍ନୀତିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ଉଠିବା ପରେ ସିସୋଦିଆଙ୍କ ସମେତ ୧୨ ଜଣ ବିଧାୟକଙ୍କ ସହ ବିଜେପି ସମ୍ପର୍କ କରିଥିବା ଓ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଆପ୍ ଅଭିଯୋଗ କରିଥିଲା। ଏହା ପରେ ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ ଗୃହରେ ଆସ୍ଥା ଭୋଟ୍ ପ୍ରସ୍ତାବ ରଖିଥିଲେ।

ଗତ କିଛି ଦିନ ହେବ ଗୃହରେ ହୋହଲ୍ଲା ଯୋଗୁଁ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହୋଇପାରି ନଥିଲା। ଗୁରୁବାର ପୁଣି ଥରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଧାନସଭାର ଉପ ବାଚସ୍ପତି ରାଖୀ ବିର୍ଲାଙ୍କ ସହ ଯୁକ୍ତିତର୍କ ପରେ ତିନିଜଣ ବିଜେପି ବିଧାୟକଙ୍କୁ ସମଗ୍ର ଅଧିବେଶନ ପାଇଁ ମାର୍ଶଲ ସହାୟତାରେ ବହିଷ୍କାର କରାଯାଇଥିଲା। ଏହାର ପ୍ରତିବାଦରେ ବିଜେପିର ଅନ୍ୟ ବିଧାୟକମାନେ ମଧ୍ୟ ଗୃହତ୍ୟାଗ କରିଥିଲେ।