କେରଳ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କଲା କଂଗ୍ରେସ | News Room Odisha

କେରଳ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କଲା କଂଗ୍ରେସ

ଥିରୁବନନ୍ତପୁରମ: କେରଳ ପ୍ରଦେଶ କଂଗ୍ରେସ କମିଟି ରାଜଧାନୀ ଥିରୁବନନ୍ତପୁରମର ଶ୍ୟାଙ୍ଗୁମୁଖାମ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିଛି । ଦଳ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ମଧ୍ୟ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଆୟୋଜନ କରିବାକୁ ଯୋଜନା କରୁଛି।

ବହୁ ସଂଖ୍ୟାରେ ଲୋକ ଯେଉଁମାନେ ସାଧାରଣତଃ ସମୁଦ୍ର କୂଳ ବୁଲିବାକୁ ଯାଆନ୍ତି, ସେମାନେ ଏହି ଡକ୍ୟୁମେଣ୍ଟାରୀ ଦେଖିଥିଲେ ।‌ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ସ୍କ୍ରିନିଂ ସ୍ଥଳରେ ବହୁ ସଂଖ୍ୟକ ପୋଲିସ୍ ମୁତୟନ କରାଯାଇଥିଲା ।

କେରଳ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଜିଏସ ବାବୁ ଗଣମାଧ୍ୟମକୁ କହିଛନ୍ତି, “ସମୁଦ୍ର କୂଳରେ ବହୁ ସଂଖ୍ୟାରେ ପର୍ଯ୍ୟଟକ ଥିଲେ। ସେଠାରେ ସଂଘ ପରିବାରର କିଛି ସଦସ୍ୟ ମଧ୍ୟ ଥିଲେ, କିନ୍ତୁ ସାଧାରଣ ଲୋକଙ୍କୁ ଦେଖି ସେମାନେ କିଛି କରି ନ ଥିଲେ।”

ପୋଥନକୋଡ୍ ଓ ନେଡୁମଙ୍ଗଡରେ ଯୁବା ମୋର୍ଚ୍ଚାର କିଛି ସଦସ୍ୟ ସ୍କ୍ରିନିଂ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ସେମାନଙ୍କୁ ହଟାଇଥିଲା। ଏହାଛଡ଼ା ସହରର ଅନ୍ୟ କୌଣସି ସ୍ଥାନରୁ ଅପ୍ରୀତିକର ଘଟଣାର ଖବର ନାହିଁ।

ବାମ ଦଳ ଏବଂ କଂଗ୍ରେସ ସହ ଜଡିତ ଛାତ୍ର ସଂଗଠନ ମଙ୍ଗଳବାର ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଆୟୋଜନ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । କାରଣ ଏବିଭିପି ସହ ଉଭୟ ଦଳର ଛାତ୍ର ସଂଗଠନର ସଂଘର୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ବଳ ପ୍ରୟୋଗ କରି ବିକ୍ଷୋଭକାରୀଙ୍କୁ ହଟାଇ ଦେଇଥିଲା।