ପେଟ୍ରୋଲ-ଡିଜେଲକୁ କାହିଁକି ଜିଏସଟି ପରିସରଭୁକ୍ତ କରାଯିବ ନାହିଁ ? ଜିଏସଟି ପରିଷଦକୁ ଜବାବ ତଲବ କଲେ କେରଳ ହାଇକୋର୍ଟ | News Room Odisha

ପେଟ୍ରୋଲ-ଡିଜେଲକୁ କାହିଁକି ଜିଏସଟି ପରିସରଭୁକ୍ତ କରାଯିବ ନାହିଁ ? ଜିଏସଟି ପରିଷଦକୁ ଜବାବ ତଲବ କଲେ କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ କାହିଁକି ଅଣାଯାଇପାରିବ ନାହିଁ ସେ ନେଇ କେରଳ ହାଇକୋର୍ଟ ଜିଏସଟି ପରିଷଦରୁ ଉତ୍ତର ମାଗିଛନ୍ତି। ସୋମବାର କେରଳ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ କେନ୍ଦ୍ର ସରକାର ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦକୁ ଜିଏସଟି ପରିସରରେ ପେଟ୍ରୋଲ ଏବଂ ଡିଜେଲ ଅନ୍ତର୍ଭୂକ୍ତ ନକରିବାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ ଉତ୍ପାଦ କାହିଁକି ଜିଏସଟି ପରିସରଭୁକ୍ତ ହୋଇପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ମୁଖ୍ୟ ବିଚାରପତି ଏସ୍ ମଣିକୁମାରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ‘କେରଳ ପ୍ରଦେଶ ଗାନ୍ଧୀ ଦର୍ଶନବାଦୀ’ ନାମକ ଏକ ସଂସ୍ଥା ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ ଜିଏସଟି ପରିଷଦର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି ଯେଉଁଥିରେ ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧୀନକୁ ନ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଆବେଦନକାରୀ ଦର୍ଶାଇଛନ୍ତି ଯେ ନିକଟରେ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଏହି ସ୍ତରରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ଠିକ୍ ନୁହେଁ। ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧୀନକୁ ଆଣିବା ପାଇଁ ଦାବି ପରେ ପରିଷଦର ବୈଠକ ଡକାଯାଇଥିଲା। କିନ୍ତୁ ପରିଷଦ ପେଟ୍ରୋଲିୟମ ଉତ୍ପାଦକୁ ଏଥିରେ ସାମିଲ କରିବାକୁ ମନା କରିଦେଇଥିଲେ।

ଆବେଦନକାରୀଙ୍କ କହିବାନୁସାରେ, ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଟ୍ୟାକ୍ସର ଭିନ୍ନ ଭିନ୍ନ ହାର ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର‌ ଦର ସମାନ ନଥାଏ | ଏହା ସମ୍ବିଧାନର ଧାରା ୨୭୯ଏ (୬) ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଏକ ସୁସଙ୍ଗତ ଜାତୀୟ ବଜାର ହାସଲ କରିବାରେ ଏକ ପ୍ରତିବନ୍ଧକ | ଏକ ଲିଟର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଉପରେ ରାଜ୍ୟ ତଥା କେନ୍ଦ୍ରର ଟିକସ ଭାଗ ଅତିକମରେ ୬୦ ପ୍ରତିଶତ ରହିଥାଏ ବୋଲି ଆବେଦନରେ କୁହାଯାଇଛି।