କେରଳର ରାସନ ଦୋକାନ ଗୁଡ଼ିକରେ ଲାଗିବନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ସେଲଫି ପଏଣ୍ଟ୍ | News Room Odisha

କେରଳର ରାସନ ଦୋକାନ ଗୁଡ଼ିକରେ ଲାଗିବନି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ସେଲଫି ପଏଣ୍ଟ୍

ଥିରୁଭନନ୍ତପୁରମ୍: କେରଳ ସରକାର ରାଜ୍ୟର ରାସନ ଦୋକାନ ଗୁଡ଼ିକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଲୋଗୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ସାଇନ୍ ବୋର୍ଡ ଓ ଫ୍ଲେକ୍ସ ବ୍ୟାନର ଲଗାଇବାକୁ ମନା କରିଛନ୍ତି। ଏନେଇ କେନ୍ଦ୍ରର ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ପାଳନ କରାଯିବ ନାହିଁ। ବିଧାନସଭାରେ ଆଇୟୁଏମ୍ଏଲ୍ ବିଧାୟକ ପି ଅବଦୁଲ ହମିଦଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ସୂଚନା ଦେଇଛନ୍ତି ।

ବିଜୟନ କହିଛନ୍ତି, “ଲୋକସଭା ନିର୍ବାଚନ ନିକଟତର ହେଉଥିବା ବେଳେ ବିଜେପି ‘ମୋଦୀ ସେଲଫି ପଏଣ୍ଟ’କୁ ନିଜର ନିର୍ବାଚନ ପ୍ରଚାରର ଏକ ଅଂଶବିଶେଷ କରିଛି । ଆମେ କେନ୍ଦ୍ର ସରକାରଙ୍କୁ ଏହା ଜଣାଇବୁ ଯେ ଏହା (ମୋଦୀ ସେଲଫି ପଏଣ୍ଟ୍) ଠିକ୍ ନୁହେଁ। ଏହାକୁ ଲାଗୁ କରିହେବନି। ଏହି ପ୍ରସଙ୍ଗରେ ଆମେ ନିର୍ବାଚନ କମିଶନଙ୍କ ନିକଟକୁ ଯିବୁ କି ନାହିଁ ତାହା ମଧ୍ୟ ବିଚାର କରିବୁ । ”

ଏହା ପୂର୍ବରୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଜିଆର୍ ଅନୀଲ କହିଥିଲେ ଯେ କେରଳର ୧୪,୦୦୦ରୁ ଅଧିକ ରାସନ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଫ୍ଲେକ୍ସ ଓ ବ୍ୟାନର ପ୍ରଦର୍ଶନ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଜାରି କରିଛି।

ସେ କହିଥିଲେ ମନୋନୀତ ୫୫୦ ରାସନ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହିତ ‘ସେଲଫି ପଏଣ୍ଟ’ ନିର୍ମାଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ଯାଞ୍ଚ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କହିଛି କେନ୍ଦ୍ର । ଏହାଛଡ଼ା କେନ୍ଦ୍ର ଏହାର ଲୋଗୋ ଥିବା କ୍ୟାରି ବ୍ୟାଗ୍ ବ୍ୟବହାର କରିବାକୁ‌ ନିର୍ଦ୍ଦେଶନାମା ଜାରି କରିଛି |

ନିର୍ବାଚନ ବର୍ଷରେ ରାଜ୍ୟ ସରକାର କେନ୍ଦ୍ରର ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବେ ନାହିଁ ବୋଲି ଅନିଲ କହିଛନ୍ତି।