କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ମାମଲା ରୁଜୁ କଲା କେରଳ ପୋଲିସ୍ | News Room Odisha

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ମାମଲା ରୁଜୁ କଲା କେରଳ ପୋଲିସ୍

ନୂଆଦିଲ୍ଲୀ: କେରଳ ସିରିଜ୍ ବିସ୍ଫୋରଣ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ସୋସିଆଲ ମିଡ଼ିଆରେ ଘୃଣା ପ୍ରସାର ଅଭିଯୋଗରେ କେରଳ ପୋଲିସ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ରବିବାର ଏର୍ଣ୍ଣାକୁଲମର କଲାମସେରୀ ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ସିରିଜ୍ ବିସ୍ଫୋରଣ ପରେ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର କେରଳ ସରକାରଙ୍କୁ ସମାଲୋଚନା କରିଥିଲେ ।

କେରଳ ବିସ୍ଫୋରଣ ପରେ ରାଜୀବ ଚନ୍ଦ୍ରଶେଖର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ଅଭିଯୋଗ କରିଥିଲେ ଯେ କେରଳ ମୁଖ୍ୟମନ୍ତ୍ରୀ ତୁଷ୍ଟିକରଣ ରାଜନୀତି କରୁଛନ୍ତି । ସେ କହିଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଦିଲ୍ଲୀରେ ବସି ଇସ୍ରାଏଲକୁ ବିରୋଧ କରୁଛନ୍ତି, କିନ୍ତୁ କେରଳରେ ନିରୀହ ଖ୍ରୀଷ୍ଟିୟାନମାନଙ୍କୁ ଆକ୍ରମଣ ଏବଂ ବୋମା ମାଡ଼ କରାଯାଉଛି । କାରଣ ଆତଙ୍କବାଦୀ ହମାସ୍ ମାଧ୍ୟମରେ ଖ୍ରୀଷ୍ଟିଆନଙ୍କ ବିରୋଧରେ ଜିହାଦ୍ କରିବାକୁ ଆହ୍ବାନ କରାଯାଉଛି ।’

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଏପରି ଅଭିଯୋଗର ଜବାବ ଦେଇଥିଲେ କେରଳ ମୁଖ୍ୟମନ୍ତ୍ରୀ ବିଜୟନ । ବିଜୟନ କହିଥିଲେ ‘ଯେଉଁମାନେ ବିଷଧର ଅଟନ୍ତି ସେମାନେ ବିଷ ହିଁ ଉଗାରିବେ।’ ରାଜୀବ ଚନ୍ଦ୍ରଶେଖରଙ୍କ ସିଧା ନାଁ ନନେଇ ବିଜୟନ କହିଥିଲେ, ‘ଜଣେ କେନ୍ଦ୍ର ମନ୍ତ୍ରୀ କହୁଛନ୍ତି ଯେ ମୁଁ ତୁଷ୍ଟିକରଣ ରାଜନୀତି କରୁଛି ଓ ଇସ୍ରାଏଲ ବିରୋଧରେ ପ୍ରଦର୍ଶନ କରୁଛି।’

ଚନ୍ଦ୍ରଶେଖରଙ୍କ ବୟାନ ଉପରେ ପ୍ରଶ୍ନ ଉଠାଇ କେରଳ ମୁଖ୍ୟମନ୍ତ୍ରୀ କହିଥିଲେ ସେ (ଚନ୍ଦ୍ରଶେଖର) କେଉଁ ଆଧାରରେ ଏସବୁ କହିଛନ୍ତି। ସେ ଜଣେ ମନ୍ତ୍ରୀ ଏବଂ ସେ ଅତି କମରେ ତଦନ୍ତକାରୀ ସଂସ୍ଥା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ | ଏଭଳି ଗୁରୁତର ଘଟଣାର ତଦନ୍ତ ଜାରି ରହିଛି। ଏବେ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସେ କିଛି ଲୋକଙ୍କୁ ଟାର୍ଗେଟ୍ କରିବା ପାଇଁ ଏପରି ବୟାନ ଦେଉଛନ୍ତି। ଏହା ସେମାନଙ୍କର ସାମ୍ପ୍ରଦାୟିକ ଏଜେଣ୍ଡା । କିନ୍ତୁ କେରଳର ସେପରି କୌଣସି ଏଜେଣ୍ଡା ନାହିଁ | କେରଳ ସର୍ବଦା ସାମ୍ପ୍ରଦାୟିକତା ବିରୁଦ୍ଧରେ ଛିଡ଼ା ହୋଇଆସିଛି।

ପ୍ରକାଶଯୋଗ୍ୟ, କେରଳର ଏର୍ଣ୍ଣାକୁଲମ ଜିଲ୍ଲାର କଲାମସେରୀ ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରାର୍ଥନା ସଭାରେ ରବିବାର (ଅକ୍ଟୋବର ୨୯) ଏକାଧିକ ବିସ୍ଫୋରଣ ଘଟିଥିଲା । ଏହି ସିରିଜ୍ ବିସ୍ଫୋରଣରେ ଜଣେ ୧୨ ବର୍ଷୀୟା ବାଳିକା ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ଘଟଣା ଦିନ ହିଁ ଏହି ସିରିଜ୍ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ଜଣେ ବ୍ୟକ୍ତି ଥ୍ରୀସୁର ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।