ରେଳବାଇ ନିଯୁକ୍ତି ବିବାଦ: ଭିଡ଼ିଓ ଜାରି କରି ଆନ୍ଦୋଳନ ଶେଷ କରିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ଖାନ୍ ସାର୍ | News Room Odisha

ରେଳବାଇ ନିଯୁକ୍ତି ବିବାଦ: ଭିଡ଼ିଓ ଜାରି କରି ଆନ୍ଦୋଳନ ଶେଷ କରିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ଖାନ୍ ସାର୍

ପାଟଣା: ଆରଆରବି-ଏନଟିପିସି ପରୀକ୍ଷା ନେଇ ଛାତ୍ରୀଛାତ୍ରଙ୍କୁ ଉସୁକାଇବା ଅଭିଯୋଗ ପରେ ଚର୍ଚ୍ଚାରେ ଥିବା ଖାନ ସାର୍ ଛାତ୍ରଛାତ୍ରୀଙ୍କୁ ବିରୋଧ ପ୍ରଦର୍ଶନ ଶେଷ କରିବାକୁ ଅନୁରୋଧ କରିଛନ୍ତି। ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ଖାନ ସାର୍ କହିଛନ୍ତି ଯେ ପିଏମ୍ଓ ଏବଂ ରେଳବାଇ ଛାତ୍ରଛାତ୍ରୀଙ୍କ ସମସ୍ତ ଦାବିକୁ ଗ୍ରହଣ କରିଛି । ଆଉ ବିରୋଧ ପ୍ରଦର୍ଶନ କରିବା ଉଚିତ ନୁହେଁ । ଖାନ ସାର୍ ଙ୍କ ଅପିଲ ସତ୍ତ୍ୱେ ବିହାର ବନ୍ଦ ପାଇଁ ଛାତ୍ରମାନେ ରାସ୍ତାକୁ ଓହ୍ଲାଇଛନ୍ତି ।

ଭିଡିଓ ରିଲିଜ କରି ଖାନ ସାର୍ କହିଛନ୍ତି, “ସମସ୍ତ ଛାତ୍ରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଛି | ଜାନୁଆରୀ ୨୮ରେ କୌଣସି ପ୍ରକାରର ପ୍ରତିବାଦରେ ଅଂଶଗ୍ରହଣ କରନ୍ତୁ ନାହିଁ, ଏହା ତୁମ ପାଇଁ ଭୁଲ ସାବ୍ୟସ୍ତ ହେବ | ଛାତ୍ରମାନଙ୍କ ଦାବିରେ ପିଏମଓ ଏବଂ ରେଳମନ୍ତ୍ରୀ ସହମତ ହୋଇଛନ୍ତି। ବୋର୍ଡ ୨୦ ଗୁଣ ଅଧିକ ରେଜଲ୍ଟ ଦେବ ଏବଂ ନମ୍ବର ରିପିଟ୍ ହେବ ନାହିଁ ବୋଲି ରେଳମନ୍ତ୍ରୀ କହିଛନ୍ତି। ଏନଟିପିସି ଲୋକଙ୍କ ସମସ୍ୟା ଶେଷ ହୋଇଛି | ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜଡିତ ଥିଲେ ତେଣୁ ଏନେଇ ସହଜରେ ସହମତି ପ୍ରକାଶ ପାଇଥିଲା। ସେ କହିଛନ୍ତି ଯେ କୌଣସି ଗୁଜବ କିମ୍ବା ମିଥ୍ୟା ଖବରକୁ ବିଶ୍ବାସ କରନ୍ତୁ ନାହିଁ।

ରେଳବାଇ ନିଯୁକ୍ତି ବୋର୍ଡର ଏନଟିପିସି ପରୀକ୍ଷା ଫଳାଫଳକୁ ନେଇ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଥିଲେ | ୨୪ ଜାନୁଆରୀରେ ପାଟନାଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନର ନିଆଁ ବିହାର ସୀମା ପାର କରି ୟୁପି ସମେତ ଦେଶର ଅନ୍ୟ ରାଜ୍ୟକୁ ବ୍ୟାପିଛି । ଏଥିପାଇଁ ଖାନ ସାରଙ୍କ ସମେତ ପାଟଣାର ୬ ଜଣ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଫଳସ୍ୱରୂପ, ବିହାରେ ଆଜି ଛାତ୍ରମାନେ ବନ୍ଦ ଡାକରା ଦେଇଛନ୍ତି ।

ବିହାର ବନ୍ଦକୁ ଦୃଷ୍ଟିରେ ରଖି ଜୟପୁର, ଦିଲ୍ଲୀରୁ ପାଟନା ଏବଂ ରାଞ୍ଚି ପର୍ଯ୍ୟନ୍ତ ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଟ୍ରେନର ସୁରକ୍ଷା ପାଇଁ ଅତିରିକ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗତକାଲି ଦିଲ୍ଲୀ, ଜୟପୁର ଏବଂ ରାୟପୁରରେ ରେଳବାଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଅନ୍ୟପକ୍ଷରେ, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଦୂର କରିବା ପାଇଁ ପ୍ରୟାଗର ରେଳବାଇ ନିଯୁକ୍ତି ବୋର୍ଡ ମଧ୍ୟ ଏକ ନିଆରା ପଦକ୍ଷେପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ, ନିଯୁକ୍ତି ବୋର୍ଡ ଆଜିଠାରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ ସ୍ଥାପନ କରି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ଅଭିଯୋଗ ପଞ୍ଜିକରଣ କରିବ।