ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା ହେବେନି ରାହୁଲ ! ଖଡ଼ଗେଙ୍କ ବୟାନକୁ ନେଇ ଚର୍ଚ୍ଚା | News Room Odisha

ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ଚେହେରା ହେବେନି ରାହୁଲ ! ଖଡ଼ଗେଙ୍କ ବୟାନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସରୁ କେହି ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବେ ନାହିଁ । ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକର ଦ୍ୱିତୀୟ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନରୁ ଏପରି ଆଭାସ ମିଳିଛି । ଖଡ଼ଗେ କହିଛନ୍ତି ଯେ କଂଗ୍ରେସର କ୍ଷମତା ପ୍ରତି ଲୋଭ ନାହିଁ କି ଦଳ ପ୍ରଧାନମନ୍ତ୍ରୀ ପଦ ଚାହୁଁନାହିଁ ।

ଖଡ଼ଗେ କହିଛନ୍ତି, କଂଗ୍ରେସ ଆଦୌ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛା ରଖିନାହିଁ। ନିଜ ପାଇଁ କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ଆମର ଏହି ବୈଠକ ନୁହେଁ। ସମ୍ବିଧାନ,ଗଣତନ୍ତ୍ର, ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟର ସୁରକ୍ଷା ପାଇଁ ଏହି ବୈଠକ କରାଯାଉଛି।

ବିଜେପିକୁ ଟାର୍ଗେଟ କରି ଖଡଗେ କହିଛନ୍ତି, “ଆମେ ୨୬ଟି ଦଳ। ୧୧ଟି ରାଜ୍ୟରେ ଆମମାନଙ୍କର ସରକାର ରହିଛି। ବିଜେପି ଏକାକୀ ୩୦୩ ସନ ଆଉ ଜିତିନଥିଲା। ବିଜେପି ସହଯୋଗୀମାନଙ୍କ ଭୋଟକୁ ବ୍ୟବହାର କରିଥିଲା । କ୍ଷମତାକୁ ଆସିବା ପରେ ସେମାନଙ୍କ ଠାରୁ ସମ୍ପର୍କ ତୁଟାଇ ଦେଇଥିଲା । ଏବେ ବିଜେପି ସଭାପତି ଏବଂ ସେମାନଙ୍କ ନେତାମାନେ ପୁରୁଣା ସହଯୋଗୀଙ୍କୁ ମନାଇବାକୁ ରାଜ୍ୟରୁ ରାଜ୍ୟକୁ ଦୌଡ଼ୁଛନ୍ତି ।

୨୦୨୪ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଭାବେ କଂଗ୍ରେସ ଉପସ୍ଥାପନ କରିବାକୁ ଚାହୁଁଥିଲେ ମଧ୍ୟ ମୋଦୀ ସରନେମ୍ ମାନହାନି ମାମଲା ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ଏହି ମାମଲାରେ ଗାନ୍ଧୀଙ୍କୁ ଗୁଜରାଟର ଏକ କୋର୍ଟ ଦୁଇ ବର୍ଷ ଦଣ୍ଡିତ କରିବା ପରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା। ତଳ କୋର୍ଟର ଏହି ରାୟକୁ କଂଗ୍ରେସ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା, କିନ୍ତୁ ସେଠାରୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି ମିଳିପାରି ନଥିଲା।

ଏବେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସୁପ୍ରିମକୋର୍ଟ ଜୁଲାଇ ୨୧ରେ ଏହି ମାମଲାର ଶୁଣାଣି କରିବେ। ଯଦି ସୁପ୍ରିମକୋର୍ଟ ତାଙ୍କ ସପକ୍ଷରେ ପ୍ରତିକୂଳ ରାୟ ଦିଅନ୍ତି, ତେବେ ରାହୁଲ ୨୦୨୪ ଲୋକସଭା ନିର୍ବାଚନ‌ ଲଢ଼ିପାରିବେ ନାହିଁ ।