ମୋଦୀ ଡ୍ରାମା କମ୍ପାନୀରେ ମିଶିବାର ଥିଲା: ଖଡ଼ଗେ | News Room Odisha

ମୋଦୀ ଡ୍ରାମା କମ୍ପାନୀରେ ମିଶିବାର ଥିଲା: ଖଡ଼ଗେ

ରାୟପୁର: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ଛତିଶଗଡରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି । ଖଡ଼ଗେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଉପରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି। ବରଂ ସେ ଲୋକସଭାରେ ନେହେରୁଜୀ ଏବଂ କଂଗ୍ରେସ ନେତାମାନଙ୍କୁ ପରିହାସ କରିଥିଲେ।

ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଯେ ସେ ହିଁ ସବୁକିଛି କରିଛନ୍ତି। ଛତିଶଗଡରେ ବିଜୁଳି, ସ୍କୁଲ ଆଦି କ’ଣ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆସିଥିଲା ? ମୋଦୀ ଓ ଶାହ ଆମ ଦ୍ୱାରା ନିର୍ମିତ ସରକାରୀ ସ୍କୁଲରେ ପଢ଼ିଥିଲେ ନା ଲଣ୍ଡନ ଅକ୍ସଫୋର୍ଡରେ ପଢିଥିଲେ ? ସେମାନେ ଆମକୁ ପଚାରୁଛନ୍ତି ବିଗତ ୭୦ ବର୍ଷରେ କଂଗ୍ରେସ ଦଳ କ’ଣ କରିଛି?

କଂଗ୍ରେସ ସଭାପତି କହିଛନ୍ତି ଯେ ବିଜେପି ପଚାରୁଛି ୭୦ ବର୍ଷରେ କଂଗ୍ରେସ କ’ଣ କରିଛି, ଆମେ ଆପଣଙ୍କୁ ୭୦ ବର୍ଷ ଧରି ପଢ଼ାଇଛୁ। ଆପଣ ନିଜକୁ ନେହେରୁ ସହିତ ତୁଳନା କରୁଛନ୍ତି | ଆପଣ କେଉଁଠି ନେହେରୁ ଜୀ କେଉଁଠି | ଆପଣ ତ ସିଧା ଉପରୁ ଖସିଛନ୍ତି | ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦ ପାହାଚରେ ମୁଣ୍ଡିଆ ମାରିବା କଥାକୁ ମନେ ପକାଇ ଖଡ଼ଗେ କହିଛନ୍ତି, ଏ‌ ସବୁ କେବଳ ଡ୍ରାମା । ମୋଦୀ ଭଲ ଡ୍ରାମା କରନ୍ତି। ସେ ଡ୍ରାମା କମ୍ପାନୀରେ ଯୋଗଦେବାର ଥିଲା, କିନ୍ତୁ ପାର୍ଲିଆମେଣ୍ଟ ପଳାଇ ଆସିଲେ ।

ଖଡ଼ଗେ କହିଛନ୍ତି କଂଗ୍ରେସ ଏମ୍ସ ନିର୍ମାଣ କଲା, ମେଡିକାଲ୍ କଲେଜ ନିର୍ମାଣ କଲା, କାରଖାନା ନିର୍ମାଣ କଲା, ଲୋକଙ୍କୁ ଚାକିରୀ ଦେଲା | ଆପଣ ଏବେ ଲୋକଙ୍କ ଚାକିରି ଛଡ଼େଇ ନେଉଛ | ବିଜେପି ସବୁ ସରକାରୀ ସଂସ୍ଥା ଘରୋଇକରଣ କରି ଆଦାନୀ ଓ ଅମ୍ବାନୀ ହାତକୁ ଟେକି ଦେଉଛି ବୋଲି ଖଡ଼ଗେ ଅଭିଯୋଗ କରିଛନ୍ତି ।