ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ 'ଏକ ଦଳୀୟ ଶାସନ' ଚାହୁଁଛନ୍ତି: ଖଡ଼ଗେ  | News Room Odisha

ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ‘ଏକ ଦଳୀୟ ଶାସନ’ ଚାହୁଁଛନ୍ତି: ଖଡ଼ଗେ 

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ଗତ ଦୁଇ ଦିନ ମଧ୍ୟରେ ଲୋକସଭା ଓ ରାଜ୍ୟସଭାରୁ ୧୨୭ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏଯାବତ୍ ୧୪୧ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏବେ ଗୃହରେ କେବଳ ୪୩ ବିରୋଧୀ ସାଂସଦ ରହିଛନ୍ତି।

ସାଂସଦଙ୍କ ନିଲମ୍ବନ ଏପରି ଏକ ସମୟରେ ହୋଇଛି ଯେତେବେଳେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଗତ ହେବାର ଅଛି ।

ସାଂସଦଙ୍କ ନିଲମ୍ବନ ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତିି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ‘ଏକ ଦଳୀୟ ଶାସନ’ ଲାଗୁ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଖଡ଼ଗେ ।

ଖଡ଼ଗେ କହିଛନ୍ତି, ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ସଂସଦ ଅନୁପ୍ରବେଶକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କିନ୍ତୁ ଯେଉଁ ବିଜେପି ସାଂସଦ ଅନୁପ୍ରବେଶକାରୀଙ୍କୁ ପାସ୍ ଦେଇଥିଲେ, ତାଙ୍କୁ ଏପର୍ଯ୍ୟନ୍ତ ପଚରାଉଚରା କରାଯାଇ ନାହିଁ।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଲମ୍ବା ପୋଷ୍ଟ ସେୟାର କରି କଂଗ୍ରେସ ସଭାପତି ଖଡ଼ଗେ ଲେଖିଛନ୍ତି, “ୟୁଏପିଏ ଆଇନ ଅନୁଯାୟୀ ୬ ଅନୁପ୍ରବେଶକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କିନ୍ତୁ ଯେଉଁ ସାଂସଦଙ୍କ ସହାୟତାରେ ସେମାନେ ଗୃହରେ ପ୍ରବେଶ କରିଥିଲେ ତାଙ୍କୁ ଏପର୍ଯ୍ୟନ୍ତ ଜେରା କରାଯାଇ ନାହିଁ, ଏହା କେଉଁ ପ୍ରକାରର ତଦନ୍ତ?”

“ସଂସଦର ସୁରକ୍ଷା ପାଇଁ ଦାୟୀ ଥିବା ବରିଷ୍ଠ ଅଧିକାରୀମାନଙ୍କୁ କାହିଁକି ଜବାବ ତଲବ ହୋଇ ନାହିଁ? ଏହି ବିକ୍ଷୋଭକାରୀମାନେ ମାସ ମାସ ଧରି ଯୋଜନା କରିଥିଲେ। ଏହି ବଡ଼ ଧରଣର ଗୁଇନ୍ଦା ବିଫଳତା ପାଇଁ କିଏ ଦାୟୀ?”

ସଂସଦର ବହୁ ସ୍ତରୀୟ ସୁରକ୍ଷା ସତ୍ତ୍ୱେ ଦୁଇଜଣ ଯୁବକ ଜୋତାରେ କ୍ୟାନିଷ୍ଟର ଲୁଚାଇ ସଂସଦରେ ପ୍ରବେଶ କରିପାରୁଛନ୍ତି ଓ ଗଣତନ୍ତ୍ର ମନ୍ଦିରର ମଧ୍ୟଭାଗରେ ପହଞ୍ଚିବାରେ ସଫଳ ହେଉଛନ୍ତି।

ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଦଳ ଦେଶରେ ‘ଏକ ଦଳୀୟ ଶାସନ’ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଏହି ଲୋକମାନେ ‘ଏକ ଅକେଲା’ କଥା କହୁଛନ୍ତି, ଯାହା ଗଣତନ୍ତ୍ରକୁ ଧ୍ବଂସ କରିବା ସହ ସମାନ। ସାଂସଦମାନଙ୍କୁ ନିଲମ୍ବନ କରି ସେମାନେ ଏହା କରିଛନ୍ତି। ଦୋଷୀ ଲୋକଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସାଂସଦମାନେ ସେମାନଙ୍କର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରାଯାଉଛି।