ଗୋପାଳପୁର ବେଳାଭୂମି ମହୋତ୍ସବରେ ସଂଗୀତ ପରିବେଷଣ କରିଥିଲେ କେକେ  | News Room Odisha

ଗୋପାଳପୁର ବେଳାଭୂମି ମହୋତ୍ସବରେ ସଂଗୀତ ପରିବେଷଣ କରିଥିଲେ କେକେ 

ବ୍ରହ୍ମପୁର: ‘ଜରାସି ଦିଲମେଁ ଦେ ଜଗହା ତୁ’, ତୁହି ମେରି ସବ ହୈ’, ‘ତଡପ୍ ତଡପ୍ କେ’, ‘ଖୁଦା ଜାନେ’, ‘ଦିଲ ଇବାଦତ୍’, ‘ଜରା ଜରା..’ ଏବଂ ଆହୁରି ଅନେକ ହିଟ୍ ଗୀତର କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନ୍ନାଥ ଓରଫ୍ କେକେ ଆଉ ଆମ ଗହଣରେ ନାହାଁନ୍ତି । ତାଙ୍କର ଅକାଳ ତଥା ଆକସ୍ମିକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି ।

ନିଜ ଯାଦୁକରୀ କଣ୍ଠରେ ଗତ ତିନି ଦଶନ୍ଧି ଧରି ସଂଗୀତପ୍ରେମୀଙ୍କୁ  ମନ୍ତ୍ରମୁଗ୍ଧ କରିଥିବା କେକେ ୨୦୧୬ରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ସଂଗୀତ ପରିବେଷଣ କରିଥିଲେ । ସେହିବର୍ଷ ଡିସେମ୍ବର ୨୪ ରୁ ୨୮ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ ଚତୁର୍ଥ ସନ୍ଧ୍ୟାରେ କେକେ ଥିଲେ ମୁଖ୍ୟ ଆକର୍ଷଣ । କେକେଙ୍କ ଶୋ’ ପାଇଁ ଗୋପାଳପୁର ଲୋକାରଣ୍ୟ ହୋଇପଡ଼ିଥିଲା। ନିଜ ସୁମଧୁର କଣ୍ଠରେ ତାଙ୍କର ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କୁ ମତୁଆଲା କରିଥିଲେ କେକେ । ଗୋପାଳପୁର ବେଶ୍ ସୁନ୍ଦର ସ୍ଥାନ ବୋଲି କେକେ କହିଥିଲେ।

କେକେଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ (ମେ ୩୧) କୋଲକାତାରେ ପରଲୋକ ହୋଇଯାଇଥିଲା । ସେ କୋଲକାତାରେ ଏକ ଶୋ’ କରୁଥିବା ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୫୩ ବର୍ଷ ହୋଇଥିଲା ।