ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କେଏଲ୍ ରାହୁଲ ଚତୁର୍ଥ ସ୍ଥାନକୁ ଉନ୍ନୀତ | News Room Odisha

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କେଏଲ୍ ରାହୁଲ ଚତୁର୍ଥ ସ୍ଥାନକୁ ଉନ୍ନୀତ

ଦୁବାଇ: ବୁଧବାର ପ୍ରକାଶିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତ ଓପନର୍ କେଏଲ୍ ରାହୁଲ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଡେଭିଡ ମାଲାନଙ୍କ କ୍ଷତିରୁ ସେ ଉପକୃତ ହୋଇଛନ୍ତି | ପାକିସ୍ତାନର ବାବର ଆଜମ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ନୂଆ ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଯଥାକ୍ରମେ ଦଶମ ଏବଂ ଏକାଦଶ ସ୍ଥାନରେ ରହିଛନ୍ତି।

ବୋଲିଂ ର଼୍ୟାଙ୍କିଙ୍ଗରେ ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଭାରତୀୟ ଭାବେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୦ତମ ସ୍ଥାନରେ ଅଛନ୍ତି । ସେ ଗୋଟିଏ ସ୍ଥାନ ହରାଇଛନ୍ତି | ଦୁଇଟି ସ୍ଥାନ ହରାଇ ଜସପ୍ରୀତ ବୁମ୍ରା ୨୬ ତମ ସ୍ଥାନରେ ଥିବାବେଳେ ଅଲରାଉଣ୍ଡର ତାଲିକାରେ କୌଣସି ଭାରତୀୟ ସ୍ଥାନ ପାଇ ନାହାଁନ୍ତି। ନଭେମ୍ବରରେ ଭାରତୀୟ ଦଳ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲା।

ବ୍ରିଜଟାଉନ୍ ଠାରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ମ୍ୟାଚରେ ୱେଷ୍ଟଇଣ୍ଡିଜର ୧୭ ରନ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାମହାତୀ ସ୍ପିନର ଆକିଲ ହୋସେନ ଏବଂ ପେସର ଜାସନ ହୋଲ୍ଡର କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ହାସଲ କରିଛନ୍ତି । | ଆକିଲ୍ ୧୫ଟି ସ୍ଥାନ ଲମ୍ଫ ଦେଇ ୧୮ତମ ସ୍ଥାନରେ ପହଞ୍ଚିଛନ୍ତି | ସେ ଅନ୍ତିମ ମ୍ୟାଚରେ ୩୦ ରନ୍ ଦେଇ ୪ଟି ଓ୍ବିକେଟ୍ ନେବା ସହ ତିନିଟି ମ୍ୟାଚରେ ୬ଟି ୱିକେଟ୍ ହାସଲ କରିଥିଲେ। ଅନ୍ତିମ ମ୍ୟାଚରେ ଚାରିଟି ବଲରେ ଚାରିଟି ୱିକେଟ୍ ସହ ୨୭ ରନରେ ପାଞ୍ଚଟି ୱିକେଟ୍ ନେଇଥିବା ହୋଲ୍ଡର ୨୩ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ତିନୋଟି ମ୍ୟାଚରେ ନଅ ୱିକେଟ୍ ନେଇଥିଲେ।

ଇଂଲଣ୍ଡ ସ୍ପିନର ମୋଇନ ଅଲି ତିନୋଟି ସ୍ଥାନ ଆଗେଇ ୩୨ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୩୩ଟି ସ୍ଥାନର ଲମ୍ବା ଲମ୍ଫ ସହ ୬୮ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବ୍ୟାଟିଂ ମାନ୍ୟତାରେ ନିକୋଲାସ୍ ପୁରାନ୍ ୧୮ ତମ ସ୍ଥାନରେ ପହଞ୍ଚିଛନ୍ତି | ସେ ଇଂଲଣ୍ଡ ବିପକ୍ଷ ସିରିଜରେ ୭୦ ରନର ଏକ ଇନିଂସ ସହ ତିନୋଟି ମ୍ୟାଚ୍ ରେ ୧୧୩ ରନ୍ ସ୍କୋର କରିଥିଲେ | ବ୍ରାଣ୍ଡେନ୍ କିଙ୍ଗ (୨୫ ସ୍ଥାନ ଉଠି ୫୮ ତମ ସ୍ଥାନ) ଏବଂ ୱେଷ୍ଟଇଣ୍ଡିଜ୍ ଅଧିନାୟକ କାଇରନ ପୋଲାର୍ଡ (୧୫ ସ୍ଥାନ ଉଠି ୬୦ତମ ସ୍ଥାନକୁ) ମଧ୍ୟ ନିଜ ନିଜ ମାନ୍ୟତାରେ ଉନ୍ନତି ଆଣିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଆଫଗାନିସ୍ତାନର ମହମ୍ମଦ ନବୀ ଏକ ନମ୍ବରରେ ଅଛନ୍ତି।