ମହଙ୍ଗା ପଡ଼ିଲା ଝଗଡ଼ା, କୋହଲି ଓ ଗମ୍ଭୀରଙ୍କ ପୂରା ମ୍ୟାଚ୍ ଫି କଟିଲା  | News Room Odisha

ମହଙ୍ଗା ପଡ଼ିଲା ଝଗଡ଼ା, କୋହଲି ଓ ଗମ୍ଭୀରଙ୍କ ପୂରା ମ୍ୟାଚ୍ ଫି କଟିଲା 

ନୂଆଦିଲ୍ଲୀ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ସୋମବାର ଆରସିବି ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ପରେ ଝଗଡ଼ା ନେଇ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ବିରୋଧରେ ବିସିସିଆଇ କାର୍ଯ୍ୟାନୁଷ୍ଠାନ ନେଇଛି । ଉଭୟଙ୍କ ୧୦୦ ପ୍ରତିଶତ ମ୍ୟାଚ୍ ଫି କଟାଯାଇଛି। ଏହାଛଡ଼ା ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍ କାଇଲ୍ ମାୟର୍ସଙ୍କୁ ମଧ୍ୟ ମ୍ୟାଚ୍ ଫି’ର ୫୦ ପ୍ରତିଶତ ଜରିମାନା ଲାଗିଛି |

ଏହି ଲୋ ସ୍କୋରିଂ ମ୍ୟାଚ୍ ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮ ରନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଥିଲା | ମ୍ୟାଚ୍ ଶେଷ ହେବା ପରେ କୋହଲିଙ୍କ ସହ ଲକ୍ଷ୍ନୌ ଖେଳାଳି ମାୟର୍ସ ଓ ନବୀନ ଉଲ୍ ହକଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା | ଏହାପରେ ଲକ୍ଷ୍ନୌ ଦଳର ମେଣ୍ଟର ଥିବା ଗମ୍ଭୀରଙ୍କ ସହ କୋହଲିଙ୍କ ଉଚ୍ଚବାଚ ହୋଇଥିଲା। ପରେ ଉଭୟ ଦଳର ଖେଳାଳି ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ଆଇପିଏଲ୍ ତରଫରୁ ଜାରି ପୃଥକ ବିବୃତ୍ତିରେ କୁହାଯାଇଛି ଯେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମେଣ୍ଟର ଗମ୍ଭୀର ଓ ବିରାଟ କୋହଲିଙ୍କୁ ମ୍ୟାଚ୍ ଫି’ର ୧୦୦ ପ୍ରତିଶତ ଜରିମାନା କରାଯାଇଛି। ଉଭୟ ଆଇପିଏଲ ଆଚରଣ ସଂହିତା ଲେଭଲ୍ ୨.୨୧ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବିରାଟ ଓ ଗମ୍ଭୀର ସେମାନଙ୍କ ଅପରାଧକୁ ସ୍ୱୀକାର କରିଛନ୍ତି।