ଦିନିକିଆ ଅଧିନାୟକ ପଦରୁ ବିଦା ହୋଇପାରନ୍ତି କୋହଲି | News Room Odisha

ଦିନିକିଆ ଅଧିନାୟକ ପଦରୁ ବିଦା ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତର ଫ୍ଲପ୍ ଶୋ’ ପରେ ଏବେ ବିରାଟ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ଟଳମଳ ହେବାରେ ଲାଗିଛି । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିିରିଜ୍ ପାଇଁ ଦଳ ଚୟନ ସଂକ୍ରାନ୍ତରେ ବିସିସିଆଇ ଅଧିକାରୀ ଓ ଜାତୀୟ ଚୟନକର୍ତ୍ତାଙ୍କ ମଧ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯିବା ନିଶ୍ଚିତ । ଏହି ବୈଠକରେ ଦିନିକିଆ କ୍ୟାପଟେନ୍ ଭାବେ କୋହଲିଙ୍କ ଭବିଷ୍ୟତ ଉପରେ ମଧ୍ୟ ଆଲୋଚନା ହେବ । ଟି୨୦ ବିଶ୍ୱକପ୍ ପରେ କୋହଲି ଏହି ଫର୍ମାଟରେ ଅଧିନାୟକ ପଦ ଛାଡ଼ିବେ ବୋଲି ଘୋଷଣା କରିଥିଲେ । ହେଲେ ସେ ଏବେ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ବିଦା ହୋଇପାରନ୍ତି ।

ପୁଣି ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିବାରେ ବିଫଳ ହେବା ପରେ ଦିନିକିଆ ଅଧିନାୟକ ଭାବେ କୋହଲିଙ୍କ ଭବିଷ୍ୟତ ଏବେ ଅନିଶ୍ଚିତ ହୋଇପଡିଛି । ବିସିସିଆଇ ଅଧିକାରୀ ଓ ଚୟନକର୍ତ୍ତାଙ୍କ ମଧ୍ୟରେ ହେବାକୁ ଥିବା ଭର୍ଚୁଆଲ ବୈଠକରେ ଏହି ପ୍ରସଙ୍ଗ ନିଶ୍ଚିତ ଉଠିବ । ଭାରତ ଚଳିତ ବର୍ଷ ଆଉ କୌଣସି ଦିନିକିଆ ସିରିଜ୍ ଖେଳିବା କାର୍ଯ୍ୟକ୍ରମ ନାହିଁ । ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପର ପରବର୍ତ୍ତୀ ସଂସ୍କରଣ ଅନୁଷ୍ଠିତ ହେବ । ଏଣୁ ଆସନ୍ତା ବର୍ଷ ମଧ୍ୟ ଟିମ୍ ଇଣ୍ଡିଆ ସୀମିତ ସଂଖ୍ୟକ ଦିନିକିଆ ସିରିଜ୍ ଖେଳିବ ।

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକତ୍ୱ ହସ୍ତାନ୍ତର କରାଯିବାକୁ ଥିବା ବେଳେ ଦଳରେ କିଛି ବଡ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ। ଟି-୨୦ ବିଶ୍ୱକପରେ ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରୁ ବିଦା କରାଯାଇପାରେ ।
ଭୁବନେଶ୍ୱର ଓ ହାର୍ଦ୍ଦିକଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲଙ୍କ ସମେତ ସଦ୍ୟ ସମାପ୍ତ ଆଇପିଏଲରେ ଅରେଞ୍ଜ କ୍ୟାପ୍ ହାସଲ କରିଥିବା (ସିଜନ୍ ରେ ସର୍ବାଧିକ ରନ୍ ସ୍କୋରର) ଋତୁରାଜ ଗାଏକୱାଡ ଏବଂ ସର୍ବାଧିକ ୱିକେଟ୍ ନେଇଥିବା ଅଭେଶ ଖାନପଙ୍କୁ ସୁଯୋଗ ଦିଆଯିବା ସମ୍ଭାବନା ରହିଛି। ଯସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯିବ ବୋଲି ଆଶା କରାଯାଉଛି। ଭେଙ୍କଟେଶ ଆୟରଙ୍କୁ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଦଳରେ ସାମିଲ କରାଯାଇପାରେ।

ଚୟନକର୍ତ୍ତାମାନେ ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଅଷ୍ଟ୍ରେଲିଆର ପିଚକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପେସ୍ ସେନ୍ସେସନ ଉମ୍ରାନ ମଲିକଙ୍କ ନାମକୁ ମଧ୍ୟ ଗୁରୁତ୍ବର ସହ ବିଚାର କରିପାରନ୍ତି। ଅକ୍ଷର ପଟେଲ, ଶ୍ରେୟାସ ଆୟର, ଦୀପକ ଚହର ଟି-୨୦ ସିରିଜ ପାଇଁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ‌। ଅନ୍ୟପକ୍ଷେ ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଉମେଶ ଯାଦବ ରେଡ-ବଲ ଫର୍ମାଟରେ (ଟେଷ୍ଟ ମ୍ୟାଚ) ଫେରିବା ନିଶ୍ଚିତ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଦୁଇ ଦିନ ମଧ୍ୟରେ ଜାତୀୟ ଚୟନକର୍ତ୍ତାଙ୍କ ସହ ଏକ ଭର୍ଚୁଆଲ୍ ବୈଠକ କରି ଦଳର ନେତୃତ୍ୱ ପ୍ରସଙ୍ଗରେ ଆଲୋଚନା କରିବେ। ରୋହିତଙ୍କ ପରି ସିନିୟର ଖେଳାଳିଙ୍କୁ କାନପୁର (ନଭେମ୍ବର ୨୫-୨୯) ଏବଂ ମୁମ୍ବାଇ (ଡିସେମ୍ବର ୩-୭) ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇପାରେ। ଏବଂ ଯେଉଁମାନଙ୍କୁ ଟି-୨୦ ସିରିଜରୁ ବିଶ୍ରାମ ଦିଆଯିବ ସେମାନେ ଟେଷ୍ଟ ମ୍ୟାଚ୍ ପାଇଁ ଫେରିବେ | କିଛି ଖେଳାଳିଙ୍କୁ ଖେଳର ସର୍ଟ ଫର୍ମାଟରେ ରଖାଯିବ ଏବଂ ଡିସେମ୍ବର ଶେଷରୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ (ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ୍ ସମୟରେ) ବିଶ୍ରାମ ପାଇବେ |