ଇନଷ୍ଟାଗ୍ରାମରୁ ଆୟ ନେଇ ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହଲି, ଦେଲେ ଏମିତି ପ୍ରତିକ୍ରିୟା | News Room Odisha

ଇନଷ୍ଟାଗ୍ରାମରୁ ଆୟ ନେଇ ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହଲି, ଦେଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରୁ ସେ କୋଟି କୋଟି ଟଙ୍କା ଆୟ କରୁଥିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମୁହଁ ଖୋଲିଛନ୍ତି ।

ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ବିରାଟ କୋହଲି ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୧୧ କୋଟିରୁ ଅଧିକ ଟଙ୍କା ଚାର୍ଜ କରନ୍ତି । ତେବେ କୋହଲି ଏହାକୁ ଅସ୍ବୀକାର କରିଛନ୍ତି। ଏହି ରିପୋର୍ଟ ଭୁଲ୍ ବୋଲି କହିଛନ୍ତି କୋହଲି ।

କୋହଲି ଟ୍ୱିଟ୍ କରି କହିଛନ୍ତି, ଯଦିଓ ମୁଁ ଜୀବନରେ ଯାହା ପାଇଛି ସେଥିପାଇଁ ମୁଁ କୃତଜ୍ଞ ଏବଂ ଋଣୀ, ତେବେ ସୋସିଆଲ ମିଡିଆରୁ ମୋର ଆୟ ସମ୍ପର୍କିତ ଖବର ସତ ନୁହେଁ।

ହପର୍ ହେଡକ୍ବାର୍ଟର ତଥ୍ୟକୁ ଉଦ୍ଧୃତ କରି ‘ଇକୋନୋମିକ୍ ଟାଇମ୍ସ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫୁଟବଲ୍ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ୩.୨୩ ମିଲିୟନ୍ ଡଲାର୍ (୨୬.୭୫ କୋଟି ଟଙ୍କା) ଚାର୍ଜ କରନ୍ତି। ଅନ୍ୟପକ୍ଷରେ ବିଶ୍ବକପ ବିଜେତା ଫୁଟବଲର୍ ଲିଓନେଲ ମେସି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପିଛା ୨.୫୬ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ୨୧.୪୯ କୋଟି ଟଙ୍କା ନିଅନ୍ତି |

କୋହଲି ବିଶ୍ବର ଟପ୍ ୨୦ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ତାଲିକାରେ ରହିଛନ୍ତି | ଏହାଛଡ଼ା କୋହଲି ବିଶ୍ବର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ।

ସେ ଅନେକ ନାମିଦାମୀ ବ୍ରାଣ୍ଡ ପାଇଁ ବିଜ୍ଞାପନ କରନ୍ତି | ଏହାଛଡ଼ା ସେ ଆଇପିଏଲରୁ ମଧ୍ୟ ବହୁତ ଟଙ୍କା ଆୟ କରନ୍ତି |