ଟେଷ୍ଟ ନେତୃତ୍ବ ଛାଡ଼ିବା ପରେ କେବଳ ଧୋନି ହିଁ ମୋତେ ମେସେଜ୍ କରିଥିଲେ: କୋହଲି | News Room Odisha

ଟେଷ୍ଟ ନେତୃତ୍ବ ଛାଡ଼ିବା ପରେ କେବଳ ଧୋନି ହିଁ ମୋତେ ମେସେଜ୍ କରିଥିଲେ: କୋହଲି

ଦୁବାଇ: ବିରାଟ କୋହଲି କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରେ ସିରିଜ ହାରିବା ପରେ ହଠାତ୍ ସେ ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କେବଳ ମହେନ୍ଦ୍ର ସିଂ ଧୋନି ହିଁ ତାଙ୍କୁ ମେସେଜ୍ କରିଥିଲେ। ଅନେକ ଲୋକଙ୍କ ପାଖରେ ମୋର ଫୋନ୍ ନମ୍ୱର୍ ଅଛି । କିନ୍ତୁ ଜଣେ ଧୋନି ହିଁ ତାଙ୍କୁ ମେସେଜ୍ କରିଥିଲେ ବୋଲି କୋହଲି କହିଛନ୍ତି । ଏହାଛଡ଼ା କୋହଲି ତାଙ୍କ ସମାଲୋଚକ ମାନଙ୍କୁ ଟାର୍ଗେଟ କରିଛନ୍ତି ।

କୋହଲି ପ୍ରଥମେ ଟି-୨୦ ଅଧିନାୟକତ୍ୱ ଛାଡିଥିଲେ । କିନ୍ତୁ ଦିନିକିଆ ନେତୃତ୍ବ ତାଙ୍କଠାରୁ ଛଡ଼ାଇ ନିଆଯାଇଥିଲା। ଜାନୁଆରୀରେ ଟେଷ୍ଟ ଅଧିନାୟକତ୍ୱ ଛାଡି କୋହଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ଗତ ୧୨ ମାସ ଧରି ତାଙ୍କ ଖରାପ ଫର୍ମ ପାଇଁ ସମାଲୋଚିତ ହୋଇଥିବା କୋହଲି ଧୋନିଙ୍କ ଫୋନ୍ କଲ୍ ଏବଂ ତାଙ୍କ ପ୍ରତି ତାଙ୍କର ଘନିଷ୍ଠତା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି।

ପାକିସ୍ତାନ ଠାରୁ ଏସିଆ କପ୍ ସୁପର-୪ ମ୍ୟାଚରେ ହାରିବା ପରେ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ “ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହେଁ । ଯେତେବେଳେ ମୁଁ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲି, ସେତେବେଳେ ମୁଁ କେବଳ ଜଣେ ବ୍ୟକ୍ତିଙ୍କଠାରୁ ମେସେଜ୍ ପାଇଥିଲି ଏବଂ ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି।

ସେ କହିଛନ୍ତି, “ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି ଏବଂ ଅନେକ ଲୋକ ଟିଭିରେ ମତାମତ ଦିଅନ୍ତି । କିନ୍ତୁ ମୋ ନମ୍ବର ଥିବା ଲୋକମାନଙ୍କ ମଧ୍ୟରୁ କେହି ମୋତେ ମେସେଜ୍ କରିନଥିଲେ |”

ଏସିଆ କପରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିବା ପରେ ଫର୍ମକୁ ଫେରିଥିବା କୋହଲି ତାଙ୍କର ପ୍ରଥମ ଅଧିନାୟକ ଧୋନିଙ୍କୁ ବହୁତ ସମ୍ମାନ ଦିଅନ୍ତି। ଏ କଥା କାହାକୁ ଅଛପା ନାହିଁ ।

ସେ କହିଛନ୍ତି, “ଯେତେବେଳେ କାହା ପ୍ରତି ସମ୍ମାନ ଏବଂ ଘନିଷ୍ଠତା ଥାଏ, ସେତେବେଳେ ଏଭଳି ହୋଇଥାଏ । କାରଣ ଉଭୟ ପାର୍ଶ୍ୱରେ ସୁରକ୍ଷା ଭାବନା ରହିଥାଏ। ମୁଁ ତାଙ୍କ (ଧୋନି) ସହ କେବେ ଅସୁରକ୍ଷିତ ମନେ କରୁ ନଥିଲି ଏବଂ ସେ ମଧ୍ୟ ମୋ ସହ ସେପରି ଅନୁଭବ କରୁନଥିଲେ। ”

କୋହଲି ତାଙ୍କ ସମାଲୋଚକ ମାନଙ୍କୁ ଟାର୍ଗେଟ କରି କହିଛନ୍ତି, “ଯଦି କାହାକୁ କିଛି ସାହାଯ୍ୟ ଦରକାର ତେବେ ମୁଁ ବ୍ୟକ୍ତିଗତ ଭାବେ ତାଙ୍କ ସହ ଯୋଗାଯୋଗ କରିବି। ସମଗ୍ର ବିଶ୍ୱ ସାମ୍ନାରେ କେବଳ ମତାମତ ଦେବା ମୋ ପାଇଁ କୌଣସି ମାନେ ରଖେନି | ଯଦି ଆପଣ ମୋତେ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ମୋତେ ବ୍ୟକ୍ତିଗତ ଭାବରେ ଜଣାଇ ପାରିବେ |

କୋହଲି କାହାର ନାମ ନେଇନଥିଲେ । କିନ୍ତୁ ତାଙ୍କ ଇସାରା ବୋଧହୁଏ ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କରଙ୍କ ଆଡ଼କୁ ଥିଲା । କୋହଲିଙ୍କ ଖରାପ ଫର୍ମ ନେଇ ଗାଭାସ୍କର ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ ଯଦି ମୋତେ କୋହଲିଙ୍କ ସହ ୨୦ ମିନିଟ୍ ବିତାଇବାକୁ ସୁଯୋଗ ପାଏ, ତେବେ ସେ କିପରି ଖରାପ ଫର୍ମରୁ ମୁକୁଳି ପାରିବେ ସେନେଇ ତାଙ୍କୁ ମୁଁ ସାହାଯ୍ୟ କରିପାରିଥାନ୍ତି ।