୫୦୦ତମ ମ୍ୟାଚରେ କୋହଲିଙ୍କ ଶତକ | News Room Odisha

୫୦୦ତମ ମ୍ୟାଚରେ କୋହଲିଙ୍କ ଶତକ

ପୋର୍ଟ ଅଫ୍ ସ୍ପେନ୍: ବିରାଟ କୋହଲି ନିଜ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ହାସଲ କରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ କୋହଲି ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । କୋହଲିଙ୍କ ଶତକ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଦିବସର ଲଞ୍ଚ୍ ବିରତି ସୁଦ୍ଧା ପ୍ରଥମ ଇନିଂସରେ ୬ ୱିକେଟ୍ ହରଶଇ ୩୭୩ ରନ୍ କରିଛି ।

କୋହଲି ୨୦୬ ବଲରେ ୧୧ଟି ଚୌକା ସହ ୧୨୧ ରନ୍ କରି ଆଉଟ୍ ହୋଇଛନ୍ତି । ଜାଡେଜା ମଧ୍ୟ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି । ସେ ୧୫୨ଟି ବଲରେ ୫ଟି ଚୌକା ସହ ୬୧ ରନ୍ କରିଥିଲେ । ଇଶାନ କିଶନ ୧୮ ଓ ରବିଚନ୍ଦ୍ରନ ଅଶ୍ୱିନ ୬ ରନ୍ କରି କ୍ରିଜରେ ଅଛନ୍ତି ।

ବିରାଟ କୋହଲି ବିଶ୍ୱର ପ୍ରଥମ ବ୍ୟାଟର ଭାବେ ନିଜ ୫୦୦ତମ ମ୍ୟାଚରେ ଶତକ ହାସଲ କରିବାର ବିରଳ ଗୌରବ ଅର୍ଜନ କରିଛନ୍ତି । ଆଜି ତାଙ୍କ ଅସମାପ୍ତ ପାଳି ୮୭ ରନରୁ ଖେଳ ଆରମ୍ଭ କରିଥିବା କୋହଲି ୱେଷ୍ଟଇଣ୍ଡିଜ ପେସର ଗାବ୍ରିଏଲଙ୍କ ବଲରେ ଏକ ଚୌକା ମାରି କ୍ୟାରିୟରର ୨୯ତମ ଟେଷ୍ଟ ଶତକ ପୂରଣ କରିଥିଲେ । ଦୀର୍ଘ ୪ ବର୍ଷ ପରେ ବିଦେଶ ମାଟିରେ କୋହଲି ଶତକ ହାସଲ କରିଛନ୍ତି । ଏହା ତାଙ୍କ ୭୬ତମ ଅନ୍ତର୍ଜାତୀୟ ଶତକ ।  ଭାରତ ପୂର୍ବଦିନର ଅସମାପ୍ତ ସ୍କୋର ୨୮୮/୪ରୁ ଖେଳ ଆରମ୍ଭ କରିଥିଲା ।  କୋହଲି ଶତକ ଓ ଜାଡେଜା ଅର୍ଦ୍ଧଶତକ ପୂରଣ କରିଥିଲେ ।  ଉଭୟ ଭାରତକୁ ଏକ ବଡ଼ ସ୍କୋର ଆଡ଼କୁ ନେବେ ବୋଲି ଲାଗୁଥିଲା । ହେଲେ ଦୁର୍ଭାଗ୍ୟ ବଶତଃ କୋହଲି ୧୨୧ ରନର ବ୍ୟକ୍ତିଗତ ସ୍କୋରରେ ରନ୍ ଆଉଟ୍ ହୋଇଯାଇଥିଲେ ।  ଏହାପରେ ଜାଡେଜାଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ ରୋଚ୍ । ଆଉଟ୍ ହେବା ପୂର୍ବରୁ ଉଭୟ କୋହଲି ଓ ଜାଡେଜା ପଞ୍ଚମ ୱିକେଟରେ ୧୫୯ ରନ୍ ଯୋଗକରି ଦଳୀୟ ସ୍ଥିତି ମଜବୁତ କରିଥିଲେ ।