ଜନ୍ମଦିନରେ କୋହଲିଙ୍କ ୪୯ତମ ଶତକ, ସଚିନଙ୍କ ରେକର୍ଡର ସମକକ୍ଷ | News Room Odisha

ଜନ୍ମଦିନରେ କୋହଲିଙ୍କ ୪୯ତମ ଶତକ, ସଚିନଙ୍କ ରେକର୍ଡର ସମକକ୍ଷ

କୋଲକାତା: ଜନ୍ମଦିନରେ ଶତକ ମାରିଛନ୍ତି ବିରାଟ କୋହଲି । ଆଜି‌ ୩୫ ବର୍ଷରେ ପଦାର୍ପଣ କରିଥିବା କୋହଲି ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଦିନିକିଆ କ୍ୟାରିୟରର ୪୯ ତମ ଶତକ ହାସଲ କରିଛନ୍ତି । ଏଥିସହ ଦିନିକିଆ କ୍ରିକେଟରେ ସର୍ବାଧିକ ଶତକରେ ସେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । କୋହଲିଙ୍କ ଏହି ରେକର୍ଡ ଶତକ ସହାୟତାରେ ଭାରତ

ଦକ୍ଷିଣ ଆଫ୍ରିକାକୁ ୩୨୭ ରନର ଟାର୍ଗେଟ୍ ଦେଇଛି | ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ୱିକେଟ୍ ପାଇଁ ୩୨୬ ରନ୍ କରିଛି।

ମାଇଲଖୁଣ୍ଟ ଶତକ ସହ କୋହଲି ନିଜ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିଛନ୍ତି। ଏହି ଷ୍ଟାର ବ୍ୟାଟର ୧୨୧ ବଲରେ ୧୦ଟି ଚୌକା ସହ ୧୦୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସଚିନ ତେନ୍ଦୁଲକରଙ୍କ ଦିନିକିଆରେ ସର୍ବାଧିକ ଶତକ ରେକର୍ଡ ସହ ସମକକ୍ଷ ହୋଇଛନ୍ତି କୋହଲି ।ଜନ୍ମଦିନରେ ବିଶ୍ୱକପ୍ ଶତକ ହାସଲ କରିବାରେ କୋହଲି ଭାରତର ପ୍ରଥମ ଓ ବିଶ୍ଵର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

୪୯ ଶତକ ହାସଲ କରିବାରେ ବିରାଟ କୋହଲି ଦ୍ରୁତତମ ବ୍ୟାଟ୍ସମ୍ୟାନ୍ । ସେ ମାତ୍ର ୨୭୭ ତମ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି | ସଚିନ ତେନ୍ଦୁଲକର ୪୯ ଶତକ କରିବାକୁ ୪୫୧ ଇନିଂସ ଖେଳିଥିଲେ ।