୩୪ ବର୍ଷରେ ପାଦ ଦେଲେ କିଙ୍ଗ୍ କୋହଲି | News Room Odisha

୩୪ ବର୍ଷରେ ପାଦ ଦେଲେ କିଙ୍ଗ୍ କୋହଲି

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା ଚାମ୍ପିୟନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଆଜି (ନଭେମ୍ବର ୫) ହେଉଛି ଜନ୍ମଦିନ।ବିରାଟ ଆଜି ୩୪ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ବିଶ୍ବର କୋଣ ଅନୁକୋଣରୁ ଏହି ସୁପରଷ୍ଟାରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଅଣ୍ଡର-୧୯ ବିଶ୍ବକପ୍ ବିଜୟୀ ଅଧିନାୟକରୁ ଆଧୁନିକ ଯୁଗର ଜଣେ ମହାନ ବ୍ୟାଟ୍ସମ୍ୟାନ୍ ଭାବେ ୧୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବିରାଟ ବହୁ ମାଇଲଖୁଣ୍ଟ ଓ ରେକର୍ଡର ଅଧିକାରୀ ହୋଇଛନ୍ତି । ଟେଷ୍ଟ କ୍ରିକେଟ୍ ହେଉ ଅବା ଦିନିକିଆ କିମ୍ବା ଟି-୨୦ ତିନୋଟି ଯାକ ଫର୍ମାଟରେ ଦେଖିବାକୁ ମିଳିଛି କିଙ୍ଗ୍ କୋହଲିଙ୍କ ରାଜୁତି । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱ ଚାମ୍ପିୟନ ହୋଇଥିଲା । କିନ୍ତୁ ସିନିୟର ସ୍ତରରେ ଅଧିନାୟକ ଭାବେ ଏକ ଆଇସିସି ଟାଇଟଲ ଜିତିନପାରିବା ବିରାଟଙ୍କ ଅବଶୋଷ ରହିଥିବ ନିଶ୍ଚୟ । ଅଧିନାୟକ ଭାବେ ନହେଲେ ମଧ୍ୟ ଜଣେ ଖେଳାଳି ଭାବେ ଏହି ଅବଶୋଷକୁ ସମ୍ଭବତଃ ଚଳିତ ଟି-୨୦ ବିଶ୍ୱକପରେ ପୂରଣ କରିବାକୁ ଚାହିଁବେ କୋହଲି ।

ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତି । ପାକିସ୍ତାନ ବିପକ୍ଷ ଅବିସ୍ମରଣୀୟ ୮୨ ରନର ଇନିଂସ୍ ସହ ଏଯାବତ୍ ଏହି ଟୁର୍ଣ୍ଣାମେଣ୍ଟରେ ସେ ୩ଟି ଅର୍ଦ୍ଧଶତକ ସହ ୨୨୦ ରନ୍ ସଂଗ୍ରହ କରିଛନ୍ତି।

୨୦୦୮ରେ ଶ୍ରୀଲଙ୍କା ବିପକ୍ଷରେ ଆନ୍ତର୍ଜାତୀୟ ଡେବ୍ୟୁ କରିବା ପରେ କୋହଲି ଏଯାବତ୍ ୧୦୨ଟି ଟେଷ୍ଟ, ୨୬୨ ଦିନିକିଆ ଏବଂ ୧୧୩ ଟି -୨୦ ମ୍ୟାଚ୍ ଖେଳିଛନ୍ତି ।

ଟେଷ୍ଟ କ୍ରିକେଟରେ କୋହଲି ୨୭ ଶତକ ଏବଂ ୨୮ ଅର୍ଦ୍ଧଶତକ ସହ ୮ ହଜାର ୭୪ ରନ୍ କରିଛନ୍ତି । ଦିନିକିଆରେ ୪୩ଟି ଶତକ ଏବଂ ୬୪ ଅର୍ଦ୍ଧଶତକ ସହ କୋହଲି ୧୨ ହଜାର ୩୪୪ ରନ୍ କରିଥିବା ବେଳେ ଟି-୨୦ କ୍ରିକେଟ୍ ରେ ଗୋଟିଏ ଶତକ ୩୬ ଅର୍ଦ୍ଧଶତକ ସହ ୩ ହଜାର ୯୩୨ ରନ୍ କରିଛନ୍ତି |