ଲକ୍ଷ୍ମୀପୁର ହିଂସା: ସାମ୍ନାକୁ ଆସିଲା ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାର ଭିଡ଼ିଓ | News Room Odisha

ଲକ୍ଷ୍ମୀପୁର ହିଂସା: ସାମ୍ନାକୁ ଆସିଲା ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାର ଭିଡ଼ିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି ଯେ ଏକ କଳା ରଙ୍ଗର ଏସୟୁଭି ଚାଷୀମାନଙ୍କୁ ପଛପଟୁ ଧକ୍କା ଦେଉଛି । ଏହାପରେ କିଛି ଚାଷୀ ତଳେ ପଡିଯାଇଥିବା ବେଳେ ଅନ୍ୟମାନେ ଗାଡ଼ି ଧକ୍କାରୁ ବଞ୍ଚିବା ପାଇଁ ଭୟରେ ଦୌଡ଼ିବାରେ ଲାଗିଛନ୍ତି । ବିକ୍ଷୋଭରତ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଭିଡିଓରେ କୃଷକମାନେ ହାତରେ ପତାକା ଧରି ଆଗକୁ ଯାଉଥିବାର ନଜର ଆସିଛନ୍ତି, ସେତେବେଳେ ହର୍ଣ୍ଣ ବଜାଇ ଏକ କଳା ରଙ୍ଗର ଏସୟୁଭି ପଛରୁ ଆସି ସେମାନଙ୍କୁ ଧକ୍କା ଦେଉଛି | ଦ୍ରୁତ ଗତିରେ ଆସୁଥିବା ଜିପ୍ ଧକ୍କାରେ ଅନେକ ଲୋକ ଆହତ ହୋଇଥିଲେ। ଜିପ୍ ଧକ୍କା ହେବା ପରେ ଜଣେ ବୃଦ୍ଧ ଚାଷୀ ଗାଡ଼ି ବନେଟ୍ ଉପରେ ପଡ଼ି ପୁଣି ତଳେ ପଡ଼ିଯାଇଥିଲେ। ଭିଡିଓରେ ଜିପ୍ ପଛରେ ଏକ ଏସୟୁଭି ମଧ୍ୟ ଦେଖିବାକୁ ମିଳୁଛି |

ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ଦଳର ନେତାମାନେ ବିଜେପିକୁ ଟାର୍ଗେଟ କରିଛନ୍ତି। ପ୍ରଥମେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ଏବଂ ପରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ପୋଲିସ ଏହି ଭିଡିଓ ଏବଂ ଗାଡ଼ି କିଏ ଚଳାଉଥିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ କରିନାହିଁ। ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀପର ଖେରୀରେ ହୋଇଥିବା ହିଂସାରେ ୪ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ଚାଷୀଙ୍କ ପରିବାରକୁ ଉତ୍ତର ପ୍ରଦେଶ ସରକାର ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣକୁ ସରକାରୀ ଚାକିରୀ ଦିଆଯିବ ବୋଲି ଘୋଷଣା କରିବା ପରେ ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଏହି ଘଟଣାର ତଦନ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ଵାବଧାନରେ ହେବ ବୋଲି ରାଜ୍ୟ ସରକାର କହିଛନ୍ତି ।