ରାଜ୍ୟଗୋଷ୍ଠୀ କ୍ରୀଡା: ୨୦ ବର୍ଷୀୟ ଲକ୍ଷ୍ୟ ସେନ୍ ଦେଲେ ଭାରତକୁ ୨୦ତମ ସ୍ବର୍ଣ୍ଣ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା: ୨୦ ବର୍ଷୀୟ ଲକ୍ଷ୍ୟ ସେନ୍ ଦେଲେ ଭାରତକୁ ୨୦ତମ ସ୍ବର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସୋମବାର ବ୍ୟାଡମିଣ୍ଟନରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛି। ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ବର୍ଣ୍ଣ ଜିତିବା ପରେ ପୁରୁଷ ସିଙ୍ଗଲ୍ସରେ ୟଙ୍ଗ୍ ସେନସେସନ଼ ୨୦ ବର୍ଷୀୟ ଲକ୍ଷ୍ୟ ସେନ୍ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଲକ୍ଷ୍ୟ ଦେଇଛନ୍ତି ଭାରତକୁ ୨୦ ତମ ସ୍ୱର୍ଣ୍ଣ ପଦକ। ‌

ଏକ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଲକ୍ଷ୍ୟ ସେନ୍ ପ୍ରଥମ ଗେମ୍ ହାରିଯାଇଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ହାତେଇଛନ୍ତି । ବିଶ୍ବ ଚାମ୍ପିୟନସିପ ରୌପ୍ୟ ବିଜେତା ଲକ୍ଷ୍ୟ ଫାଇନାଲରେ ମାଲେସିଆର ଜେଇ ୟଙ୍ଗଙ୍କୁ ୧୯-୨୧, ୨୧-୯, ୨୧-୧୬ ରେ ହରାଇଥିଲେ |

ଏହାପୂର୍ବରୁ ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ ରେ ପରାସ୍ତ କରିଥିଲେ | ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିନ୍ଧୁଙ୍କର ଏହା ପ୍ରଥମ ସ୍ୱର୍ଣ୍ଣ | ସେ ୨୦୧୮ରେ ସାଇନା ନେହ୍ବାଲଙ୍କଠାରୁ ଫାଇନାଲରେ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିବା ବେଳେ ୨୦୧୪ ସଂସ୍କରଣରେ ବ୍ରୋଞ୍ଜ ଜିତିଥିଲେ ।