'ମୋଦୀ ସାଙ୍ଗିଆ' ମନ୍ତବ୍ୟ ମାମଲାରେ ଏବେ ରାହୁଲ ଗାନ୍ଧୀଙ୍କୁ କୋର୍ଟକୁ ଟାଣିବେ ଲଳିତ ମୋଦୀ | News Room Odisha

‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ ମାମଲାରେ ଏବେ ରାହୁଲ ଗାନ୍ଧୀଙ୍କୁ କୋର୍ଟକୁ ଟାଣିବେ ଲଳିତ ମୋଦୀ

ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗିଆ” ମନ୍ତବ୍ୟ ନେଇ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିବା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏବେ ଆଇପିଏଲର ପୂର୍ବତନ କମିଶନର ତଥା ପ୍ରତିଷ୍ଠାତା ଲଲିତ ମୋଦୀ ମାନହାନି କେସ୍ କରିବାକୁ ଚେତାବନୀ ଦେଇଛନ୍ତି। ତାଙ୍କୁ ବ୍ରିଟେନ କୋର୍ଟକୁ ଟାଣିବାକୁ ଧମକ ଦେଇଛନ୍ତି ଲଳିତ ମୋଦୀ। ଏକାଧିକ ଟ୍ୱିଟ୍‌ରେ ତାଙ୍କୁ ପଳାତକ ବୋଲି କହିବା ନେଇ ଆପତ୍ତି ଉଠାଇବା ସହ ରାହୁଲ ଗାନ୍ଧିଙ୍କୁ ‘ପପୁ’ କହି ଟାର୍ଗେଟ କରିଛନ୍ତି ଲଳିତ ମୋଦୀ ।

ତାଙ୍କୁ ପଳାତକ ବୋଲି କୁହାଯିବା ନେଇ ପୂର୍ବତନ ଆଇପିଏଲ୍ କମିଶନର ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, “ମୁଁ ଦେଖୁଛି ଯେ ଯେକେହି ଓ ରାହୁଲ ଗାନ୍ଧୀଙ୍କ ସହଯୋଗୀମାନେ ମୋତେ ବାରମ୍ବାର ପଳାତକ ବୋଲି କହୁଛନ୍ତି। କାହିଁକି? କେମିତି? ”

“ମୁଁ ପଳାତକ ବୋଲି କେବେ ଦୋଷୀ ସାବ୍ୟସ୍ତ ହୋଇଛି କି? ମୁଁ ପପୁ ଓରଫ୍ ରାହୁଲ ଗାନ୍ଧୀଙ୍କ ପରି ନୁହେଁ, ମୁଁ ଜଣେ ସାଧାରଣ ନାଗରିକ । ବୋଧେ ବିରୋଧୀ ଦଳ ନେତାମାନଙ୍କର ପାଖରେ ଆଉ କିଛି କାମ ନାହିଁ। ସେମାନଙ୍କ ପାଖରେ ଭୁଲ ତଥ୍ୟ ଥାଇପାରେ ନତୁବା ସେମାନେ ପ୍ରତିଶୋଧ ପରାୟଣ ହୋଇ ଏପରି କହୁଛନ୍ତି |”

ଲଲିତ ମୋଦୀ ଆହୁରି କହିଛନ୍ତି, “ମୁଁ ରାହୁଲ ଗାନ୍ଧୀଙ୍କୁ ଶୀଘ୍ର ବ୍ରିଟେନରେ ଏକ କୋର୍ଟକୁ ଟାଣିବାକୁ ନିଷ୍ପତ୍ତି ନେଇଛି। ମୁଁ ନିଶ୍ଚିତ ଯେ ତାଙ୍କୁ କିଛି ଠୋସ୍ ପ୍ରମାଣ ଆଣିବାକୁ ପଡିବ।”

କଂଗ୍ରେସର ଅନେକ ନେତାଙ୍କୁ ଟ୍ୟାଗ୍ କରି ଲଲିତ ମୋଦୀ ଦାବି କରିଛନ୍ତି ଯେ ଏହି ନେତାଙ୍କ ବିଦେଶରେ ସମ୍ପତ୍ତି ଅଛି । ସେଗୁଡ଼ିକର ଠିକଣା ଓ ଫଟୋ ମଧ୍ୟ ସେ ପଠାଇ ପାରିବେ। ଲଲିତ ମୋଦୀ କହିଛନ୍ତି, ଗାନ୍ଧୀ ପରିବାର ଭାବୁଛି ଯେ ସେମାନେ ହିଁ ଦେଶକୁ ଶାସନ କରିବାକୁ ହକଦାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଦେଶକୁ ଫେରିବେ, କିନ୍ତୁ ଏଥିପାଇଁ ଏକ କଡ଼ା ନିୟମ ଆଣିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ‌ ଜନସଭାରେ ରାହୁଲ ଗାନ୍ଧୀ ‘ସବୁ ଚୋରଙ୍କ ସାଙ୍ଗିଆ ମୋଦୀ କାହିଁକି ରହିଛି’ ବୋଲି କହିଥିଲେ । ସେ ଅର୍ଥନୈତିକ ଅପରାଧୀ ଓ ପଳାତକ ଘୋଷିତ ଲଳିତ ମୋଦୀ ଓ ନିରବ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୁଳନା କରିଥିଲେ।

ରାହୁଲ ଗାନ୍ଧୀଙ୍କ ଏପରି ବୟାନ ନେଇ ସୁରଟ ଓ୍ବେଷ୍ଟର ପୂର୍ବତନ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏହି କଂଗ୍ରେସ ନେତାଙ୍କ ବିରୋଧରେ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ । ରାହୁଲଙ୍କ ବୟାନ ସମଗ୍ର ମୋଦୀ ସମୁଦାୟକୁ ଆଘାତ ଦେଇଛି ବୋଲି ସେ ତାଙ୍କ ଅଭିଯୋଗରେ କହିଥିଲେ ।

ନିକଟରେ ଏହି ମାନହାନୀ ମାମଲାରେ‌ ଗୁଜରାଟର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଦିନକ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ରଦ୍ଦ ହୋଇଥିଲା।