ପଞ୍ଚମ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ | News Room Odisha

ପଞ୍ଚମ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ଉଠାଣ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଏହା ହେଉଛି ପଞ୍ଚମ ମାମଲା ଯେଉଁଥିରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାପୂର୍ବରୁ ଅନ୍ୟ ଚାରିଟି ମାମଲାରେ କୋର୍ଟ ଲାଲୁ ପ୍ରସାଦ ଯାଦବଙ୍କୁ ସାଢ଼େ ୨୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ଏହାଛଡ଼ା କୋର୍ଟ ତାଙ୍କୁ ଏକ କୋଟି ଟଙ୍କା ଜରିମାନା କରିଥିଲେ ।

ଡୋରଣ୍ଡା ଟ୍ରେଜେରରୁ ବେଆଇନ ଟଙ୍କା ଉଠାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ୭୪ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବାବେଳେ ପ୍ରମାଣ ଅଭାବରୁ ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ପବ୍ଲିକ ଆକାଉଣ୍ଟସ କମିଟିର ତତ୍କାଳୀନ ଚେୟାରମ୍ୟାନ୍ ଧ୍ରୁବ ଭାଗତ ଓ ପୂର୍ବତନ ସାଂସଦ ଜଗଦୀଶ ଶର୍ମା ଅଛନ୍ତି। ଫେବୃଆରୀ ୨୧ରେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦଣ୍ଡ ଶୁଣାଣି ହେବ।

ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତିର ଏହି ପଞ୍ଚମ ମାମଲାରେ ୨୬ ବର୍ଷ ପୂର୍ବେ ରାଞ୍ଚିର ଡୋରଣ୍ଡା ପୋଲିସ୍ ଷ୍ଟେସନରେ ଏକ ଏଫ୍ଆଇଆର୍ ରୁଜୁ ହୋଇଥିଲା | ପରେ ସିବିଆଇ ପକ୍ଷରୁ ମାମଲା ଦାୟର ହୋଇଥିଲା। ପ୍ରଥମେ ୧୭୦ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଏଥିମଧ୍ୟରୁ ୫୫ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଦ୍ୱାରା ରାଜସାକ୍ଷୀ କରାଯାଇଛି। ଅଦାଲତର ରାୟ ଆସିବା ପୂର୍ବରୁ ଦୁଇ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ୱୀକାର କରିଥିଲେ। ଅନ୍ୟ ୬ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଫେରାର ଅଛନ୍ତି।