ଆଜି ହେବ ଲାଲୁ ଯାଦବଙ୍କ ଅସ୍ତ୍ରୋପଚାର, ଝିଅ ରୋହିଣୀ ଦାନ କରିବେ କିଡନୀ | News Room Odisha

ଆଜି ହେବ ଲାଲୁ ଯାଦବଙ୍କ ଅସ୍ତ୍ରୋପଚାର, ଝିଅ ରୋହିଣୀ ଦାନ କରିବେ କିଡନୀ

ସିଙ୍ଗାପୁର: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୋମବାର ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ କିଡନୀ ପ୍ରତିରୋପଣ କରାଯିବ। ଲାଲୁଙ୍କ ଦ୍ୱିତୀୟ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କର ଗୋଟିଏ କିଡନୀ ଲାଲୁଙ୍କୁ ଦେବେ। ସୋମବାର ଅପରେସନ୍ ପ୍ରକ୍ରିୟା ପୂର୍ବରୁ ରୋହିନୀ ଆଚାର୍ଯ୍ୟ ତାଙ୍କ ବାପାଙ୍କ ସହ ଏକ ଫଟୋ ସେୟାର କରିଥିଲେ ଏବଂ ଏକ ସଫଳ ଅସ୍ତ୍ରୋପଚାର ପାଇଁ ଲୋକଙ୍କ ଶୁଭକାମନା ଲୋଡିଥିଲେ । ରୋହିନୀ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ‘ରେଡି ଟୁ ରକ୍ ଏଣ୍ଡ୍ ରୋଲ୍’, ଓ୍ବିସ୍ ମି ଗୁଡ୍ ଲକ୍’ ବୋଲି ଟ୍ବିଟ୍ କରିଛନ୍ତି। କିଡନୀ ପ୍ରତିରୋପଣ ପାଇଁ ତାଙ୍କୁ ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୋହିଣୀ ମଧ୍ୟ ଏହାର ଫଟୋ ସେୟାର କରିଛନ୍ତି। ଲାଲୁ ଯାଦବଙ୍କୁ ପୂର୍ବରୁ ହସ୍ପିଟାଲକୁ ସିଫ୍ଟ କରାଯାଇଥିଲା ।

ଡାକ୍ତରଙ୍କ ସୂଚନା ଅନୁଯାୟୀ ରୋହିଣୀଙ୍କ କିଡନୀ ବର୍ତ୍ତମାନ ୯୦ ରୁ ୯୫ ପ୍ରତିଶତରେ କାମ କରୁଛି। ଲାଲୁଙ୍କର ଉଭୟ କିଡନୀ ୨୮ ପ୍ରତିଶତ କାମ କରୁଛି | ଲାଲୁଙ୍କ ଅପରେସନ୍ ପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ତାଙ୍କ ପୁଅ ତେଜସ୍ୱୀ ଯାଦବ ଓ ତେଜ ପ୍ରତାପ ଯାଦବ, ଆରଜେଡି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭୋଲା ଯାଦବ ଶନିବାର ରାତିରେ ସିଙ୍ଗାପୁରରେ ପହଞ୍ଚିଛନ୍ତି। ଲାଲୁ ଯାଦବଙ୍କ ପତ୍ନୀ ରାବଡି ଦେବୀ ଏବଂ ବଡ଼ ଝିଅ ମିସା ଭାରତୀ ଏବଂ ତାଙ୍କ ସ୍ୱାମୀ ସିଙ୍ଗାପୁରରେ ଅଛନ୍ତି।