ଆଜି ଶେଷ ପର୍ଯ୍ୟାୟ ଭୋଟ,‌ ବାରାଣସୀ ସହ ୫୭ ଆସନରେ ଚାଲିଛି ମତଦାନ | News Room Odisha

ଆଜି ଶେଷ ପର୍ଯ୍ୟାୟ ଭୋଟ,‌ ବାରାଣସୀ ସହ ୫୭ ଆସନରେ ଚାଲିଛି ମତଦାନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଶନିବାର ଆରମ୍ଭ ହୋଇଛି। ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ଆସନରେ ଚାଲିଛି ମତଦାନ । ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ପାଞ୍ଚ କେନ୍ଦ୍ର ମନ୍ତ୍ରୀ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରିଜଣ ସିନେ କଳାକାରଙ୍କ ସହ ମୋଟ ୯୦୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ଗୋଟିଏ ଆସନ ସମେତ ପଞ୍ଜାବର ୧୩, ହିମାଚଳ ପ୍ରଦେଶର ୪, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାରର ୮, ଓଡିଶାର ୬ ଏବଂ ଝାଡ଼ଖଣ୍ଡର ୩ଟି ଆସନରେ ଶନିବାର ଭୋଟ ଗ୍ରହଣ ଚାଲିଛି। ଏହାଛଡ଼ା ଏହି ପର୍ଯ୍ୟାୟରେ ଓଡ଼ିଶାର ୪୨ ବିଧାନସଭା ଆସନ ଭୋଟ୍ ପଡ଼ିବ । ହିମାଚଳ ପ୍ରଦେଶର ୬ ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ଶନିବାର ଅନୁଷ୍ଠିତ ହେଉଛି।

ଶେଷ ପର୍ଯ୍ୟାୟରେ ଯେଉଁ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ହମିରପୁରରୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଆରାରୁ କେନ୍ଦ୍ର ମନ୍ତ୍ରୀ ଆର.କେ ସିଂହ, ମହାରାଜଗଞ୍ଜରୁ କେନ୍ଦ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ, ଚନ୍ଦୌଲିରୁ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଏବଂ ମିର୍ଜାପୁରରୁ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଅଛନ୍ତି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣ ସିଂ ଚନ୍ନି ମଧ୍ୟ ନିର୍ବାଚନ ମଇଦାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ତୃତୀୟ ଥର ବାରାଣସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ଏହାଛଡ଼ା ଶେଷ ପର୍ଯ୍ୟାୟର ଚାରି ଜଣ ସିନେ କଳାକାର ମଧ୍ୟ ନିର୍ବାଚନୀ ରଣାଙ୍ଗନରେ ଅଛନ୍ତି। ସେମାନେ ହେଲେ ମଣ୍ଡିରୁ କଙ୍ଗନା ରନାଓ୍ବତ, ଗୋରଖପୁରରୁ ରବି କିଶନ ଏବଂ କାଜଲ ନିଷାଦ, କାରାକଟ ଲୋକସଭା ଆସନରୁ ପବନ ସିଂହ ।

ଏମାନଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ, ଏନଡିଏ ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ମିସା ଭାରତୀ ଏବଂ ବିକ୍ରମାଦିତ୍ୟ ସିଂହଙ୍କ ଭଳି ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ଶେଷ ପର୍ଯ୍ୟାୟରେ ହେବ ।

୫୪୩ ଲୋକସଭା ଆସନ ମଧ୍ୟରୁ ପ୍ରଥମ ୬ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ୪୮୬ଟି ଆସନରେ ମତଦାନ ସରିଛି । ପ୍ରଥମ ୬ଟି ପର୍ଯ୍ୟାୟରେ ମତଦାନ ହାର‌ ଯଥାକ୍ରମେ ୬୬.୧୪ ପ୍ରତିଶତ, ୬୬.୭୧, ୬୫.୬୮, ୬୯.୧୬, ୬୨.୨ ଏବଂ ୬୩.୩୬ ପ୍ରତିଶତ ଥିଲା। ଶନିବାର ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ଏପ୍ରିଲ ୧୯ରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଜୁନ୍ ୪ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ।