ଆଉ ନାହାନ୍ତି ସ୍ବର ସାମ୍ରାଜ୍ଞୀ, ୯୨ ବର୍ଷ ବୟସରେ ଲତା ମଙ୍ଗେସକରଙ୍କ ଦେହାନ୍ତ | News Room Odisha

ଆଉ ନାହାନ୍ତି ସ୍ବର ସାମ୍ରାଜ୍ଞୀ, ୯୨ ବର୍ଷ ବୟସରେ ଲତା ମଙ୍ଗେସକରଙ୍କ ଦେହାନ୍ତ

ମୁମ୍ବାଇ: ଭାରତ ନିଜ ଅମୂଲ୍ୟ ରତ୍ନ ହରାଇଛି। କରୋନା ସଂକ୍ରମିତ ହୋଇ ପ୍ରାୟ ଏକ ମାସ ଧରି ଚିକିତ୍ସାଧୀନ ଥିବା ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକର ନିରବୀ ଯାଇଛନ୍ତି । ମେଲୋଡି ରାଣୀ ଲତାଙ୍କ ଆଜି ନିଧନ ହୋଇଯାଇଛି । ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଜାନୁଆରୀ ୮ରେ କରୋନା ପଜିଟିଭ଼ ଚିହ୍ନଟ ପରେ ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କ ବିୟୋଗ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । କୋଟି କୋଟି ସଂଗୀତପ୍ରେମୀଙ୍କ ସ୍ତବ୍ଧ ହୋଇଯାଇଛନ୍ତି | ଲତାଙ୍କ ଦେହାନ୍ତ ସହ ଭାରତୀୟ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି ।

ଲତା ୩୬ଟି ଭାଷାରେ ୫୦ ହଜାର ଗୀତ ଗାଇଥିଲେ, ଯାହାକି କୌଣସି ଗାୟକଙ୍କ ପାଇଁ ଏକ ରେକର୍ଡ | ୧୦୦୦ ରୁ ଅଧିକ ଚଳଚ୍ଚିତ୍ରରେ ସେ ନିଜର କଣ୍ଠଦାନ କରିଥିଲେ | ୧୯୬୦ ରୁ ୨୦୦୦ ପର୍ଯ୍ୟନ୍ତ ଏକ ସମୟ ଥିଲା ଯେତେବେଳେ ଲତା ମଙ୍ଗେଶକରଙ୍କ ସ୍ୱର ବିନା ଫିଲ୍ମ ଗୁଡି ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା | ଗୀତଗୁଡ଼ିକ ହିଟ୍ ହେବାର ଗ୍ୟାରେଣ୍ଟି ପାଇଁ ଲତାଙ୍କ ସ୍ୱର ବ୍ୟବହାର କରାଯାଉଥିଲା | ୨୦୦୦ ପରଠାରୁ ସେ ଗୀତ ଗାଇବା କମାଇ ଦେଇଥିଲେ ଏବଂ କେବଳ କିଛି ମନୋନୀତ ଚଳଚ୍ଚିତ୍ରରେ ଗୀତ ଗାଉଥିଲେ | ତାଙ୍କର ଶେଷଥର ପାଇଁ ସେ ୨୦୧୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଡୁନୋ ଓ୍ବାଇ’ ପାଇଁ କଣ୍ଠଦାନ କରିଥିଲେ ।

ପ୍ରାୟ ୮୦ ବର୍ଷ ଧରି ସଂଗୀତ ଜଗତରେ ସକ୍ରିୟ ଥିବା ଲତା ମଙ୍ଗେଶକର ୨୮ ସେପ୍ଟେମ୍ବର ୧୯୨୯ ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ସେ ୧୩ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ | ସଙ୍ଗୀତ ଏବଂ ମରାଠୀ ଥିଏଟର ଜଗତରେ ଲତା ଜୀଙ୍କର ପିତା ଦିନେଶ ମଙ୍ଗେସକର ଜଣେ ଜଣାଶୁଣା ନାମ ଥିଲେ । ସେ ହିଁ ଲତା ଜୀଙ୍କୁ ସଙ୍ଗୀତ ଶିକ୍ଷା ଦେଇଥିଲେ | ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ବଡ଼ ଲତାଙ୍କର ତିନି ଭଉଣୀ ଆଶା ଭୋସଲେ, ଉଷା ମଙ୍ଗେଶକର, ମୀନା ମଙ୍ଗେଶକର ଏବଂ ଭାଇ ହରିଦନାଥ ମଙ୍ଗେଶକର ମଧ୍ୟ ସଙ୍ଗୀତ ଜଗତ ସହ ଜଡ଼ିତ ଥିଲେ |

ସଂଗୀତ ଜଗତ ପ୍ରତି ଅବଦାନ ପାଇଁ ୨୦୦୧ରେ ଲତା ମଙ୍ଗେସକରଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଏହାପୂର୍ବରୁ ତାଙ୍କୁ ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ଦାଦାସାହେବ ଫାଲକେ ସମେତ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା